ନୂଆଦିଲ୍ଲୀ– କରୋନା ଭାଇରସର ମୁକାବିଲା ନିମନ୍ତେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ଘୋଷଣା କରିଛନ୍ତି । ଏହି ଯୋଜନାରେ ଦେଶର ପାଖାପାଖି ୮୦ କୋଟି ହିତାଧିକାରୀଙ୍କୁ ପାଂଚ କିଲୋ ଚାଉଳ କିମ୍ବା ଗହମ ଓ ଏକ କିଲୋ ଡାଲି ଆଗାମୀ ତିନି ମାସ ଯାଏ ମାଗଣାରେ ପ୍ରଦାନ କରା ଯିବ । ଏହା ଗରୀବ ଲୋକ ମାନଙ୍କୁ ମିଳୁଥିବା ପିଡିଏସରେ ମିଳୁଥିବା ରାସନ ଠାରୁ ଅଲଗା ଓ ଏହା ମାଗଣା ପ୍ରଦାନ କରା ଯିବ ।
ଶ୍ରୀମତୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଭିଡିଓ କନଫ୍ରେନ୍ସିଂ ଜରିଆରେ ସମ୍ବୋଧିତ କରି କହିଛନ୍ତି ଯେ କରୋନା ଭାଇରସର ଚିକିତ୍ସାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଭୂମିକା ନିର୍ବାହ କରୁଥିବା ଲୋକ ମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା କଭର ମିଳିବ । ଏଥିରେ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ପରିମଳ କର୍ମଚାରୀ ମାନେ ସାମିଲ ରହିବେ ।
ସେ କହିଛନ୍ତି ଯେ ଚାଷୀ ମାନଙ୍କୁ ୬ ହଜାର ଟଙ୍କାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିରେ ମିଳୁଛି । ବର୍ତମାନ ଆମେ ସେମାନଙ୍କୁ ୨ ହଜାର ଟଙ୍କା ସିଧା ଦେବା ପାଇଁ ଯାଉଛୁ । ଏଥିରେ ୮,୬୯ କୋଟି ଚାଷୀଙ୍କୁ କଠିନ ସମୟରେ ଲାଭ ହେବ । ଏହି ଅର୍ଥ ଅପ୍ରେଲର ପ୍ରଥମ ସପ୍ତାହରେ ବ୍ୟାଙ୍କ ଖାତାରେ ପ୍ରଦାନ କରା ଯିବ । ଏହା ବ୍ୟତୀତ ଗ୍ରାମୀଣ ଅଂଚଳରେ ଚାଲିଥିବା ମନରେଗା ଯୋଜନାରେ କାମ କରୁଥିବା ଲୋକଙ୍କୁ ଏହେ ୧୮୨ ଟଙ୍କା ପ୍ରତିଦିନ ବଦଳରେ ୨ ଶହ ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ସେମାନଙ୍କର ଆୟରେ ୨ ହଜାର ଟଙ୍କା ବୃଦ୍ଧି ହେବ । ଏଥିରେ ପାଂଚ କୋଟି ପରିବାରଙ୍କୁ ଲାଭ ମିଳିବ ।
ଏହା ବ୍ୟତୀତ ଉଜ୍ୱଳା ଯୋଜନାରେ ବିପିଏଲ ଶ୍ରେଣୀର ମହିଳା ମାନଙ୍କୁ ତିିନି ମାସ ଯାଏ ବିନା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଓ ତାଙ୍କର ବ୍ୟାଙ୍କ ଖାତାରେ ୫୦୦ ଟଙ୍କା ଲେଖାଏ ପ୍ରତି ମାସ ତିନି ମାସ ଯାଏ ପ୍ରଦାନ କରା ଯିବ ।