ଲସ ଏଞ୍ଜଲେସ – ଇଟାଲୀ ପରେ ସ୍ପେନରେ ମଧ୍ୟ ଚୀନଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନ ଏ ପର୍ଯ୍ୟନ୍ତ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୮୧ ହୋଇଥିବା ବେଳେ ସ୍ପେନରେ ମୃତକ ସଂଖ୍ୟା ୩୬୪୭ ରହିଛି । ସ୍ପେନରେ ଗତ ୨୪ ଘଂଟାରେ ୬୫୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ୨୪ ଘଂଟାରେ ଇଟାଲୀରେ ୬୮୩ ଜଣଙ୍କ ପ୍ରାଣହାନୀ ଘଟିଛି । ଏହି ପରି କରୋନାରେ ଇଟାଲୀରେ ମୃତକ ସଂଖ୍ୟା ୭୫୦୩ରେ ପହଂଚିଛି । ଗତ ଦୁଇ ଦିନରେ ସମଗ୍ର ଦୁନିଆରେ ରେକର୍ଡ ୨୨୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଲକ୍ଷ ୬୮ ହଜାର ୫୭୭ରେ ପହଂଚିଛି । ଏହି ଘାତକ ସଂକ୍ରାମକ ରୋଗରେ ପୂରା ବିଶ୍ୱରେ ୨୧ ହଜାର ୧୮୫ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଆମେରିକାରେ ଗତ ୨୪ ଘଂଟାରେ ୧୫୫ ଜଣଙ୍କ ମୃତ୍ୟୁ ଘଟିଛି ।
କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ଭଳି ବୃଦ୍ଧି ପାଇବାରେ ଲାଗିଛି ଏହି ତୂଳନାରେ ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକଙ୍କ ଏକ ତୃତୀୟାଂଶରୁ ମଧ୍ୟ କମ ରହିଛି । ଅର୍ଥାତ ଏକ ଲକ୍ଷ ୧୩ ହଜାର ୮୧୩ ଜଣ ଏହି ମାରାତ୍ମକ ରୋଗରୁ ସୁସ୍ଥତା ଲାଭ କରିଛନ୍ତି । ସ୍ପେନ ଓ ଇଟାଲୀରେ ନୂତନ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମ ହେବାର ନାଁ ନେଉ ନାହିଁ, ଯାହା ଚିନ୍ତାର ବିଷୟ ପାଲଟିଛି । ଇଟାଲୀରେ ଗତ ୨୪ ଘଂଟାରେ ୫୨୧୦ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ସ୍ପେନରେ ୭୪୬୭ ଜଣ କରୋନା ସଂକ୍ରମିତ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।
ସ୍ପେନ ଓ ଇଟାଲୀରେ ସଂପ୍ରତି ହସ୍ପିଟାଲରେ ଛ ହଜାରରୁ ଅଧିକ ଗୁରୁତର ରୋଗୀ ଭର୍ତି ଅଛନ୍ତି, ଯେଉଁମାନଙ୍କୁ ଆଇସିୟୁ ବେଡ୍ ଓ ଭେଂଟିଲେଟର ସେବା ମିଳି ପାରୁନାହିଁ । ୟୁରୋପର ଅନ୍ୟ ବଡ ଦେଶ ଫ୍ରାନ୍ସରେ ଗତ ୨୪ ଘଂଟାରେ ୨୩୧, ଜର୍ମାନୀରେ ୪୭ ଓ ଇଂଲଣ୍ଡରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ଉନ୍ନତ ସ୍ୱାସ୍ଥ୍ୟ ସେବା କାରଣରୁ ଜର୍ମାନୀରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଉଛି ।