କୋଲକାତା– ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଏହାର ସଂକ୍ରମଣ ଏବେ ଜିଲ୍ଲାକୁ ମଧ୍ୟ ବ୍ୟାପିଲାଣି । ଦକ୍ଷିଣ ୨୪ ପ୍ରଗଣାର ନୟାବାଦରେ ରହୁଥିବା ୬୬ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ କୋଲକାତାର ପିୟରଲେସ୍ ହସ୍ପିଟାଲରେ ଭର୍ତି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁୁରୁବାର ଏହାର ସୂଚନା ଦିଆଯାଇଛି ।
ସୂଚନା ଅନୁଯ୍ୟାୟୀ ରୋଗୀ ମାର୍ଚ୍ଚ ୨୩ରୁ ହସ୍ପିଟାଲରେ ଭର୍ତି ଅଛନ୍ତି । ତାଙ୍କୁ କାଶ ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେଉଥିଲା । ପରୀକ୍ଷଣ ପାଇଁ ବୁଧବାର ତାଙ୍କର ରକ୍ତ ନମୂନା ଓ ସ୍ୱାବ ବୋଲିଆଘାଟ ନାଇସେଡ୍ ହସ୍ପିଟାଲକୁ ପଠାଯାଇଥିଲା । ବିଳମ୍ବିତ ରାତ୍ରିରେ ଆସିଥିବା ରିପୋର୍ଟରେ କରୋନା ପଜିଟିଭ୍ ଜଣା ପଡିଥିଲା । ହସ୍ପିଟାଲରେ ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ ଓ୍ାର୍ଡରେ ରଖାଯାଇଛି ।
ବଡ କଥା ଏହି ବ୍ୟକ୍ତି ନା ବିଦେଶ ଯାଇଥିଲେ ନା ଅନ୍ୟ କୌଣସି ରାଜ୍ୟରୁ ଆସିଥିଲେ । ନୟାବାଦରେ ଯେଉଁଠି ରୋଗୀଙ୍କ ଘର ସେଠୁ ଅନତି ଦୂରରେ ରାଜ୍ୟ ସଚିବାଳୟର ସେହି ଡବ୍ଲ୍ୟୁବିସିଏସ ଅଧିକାରୀଙ୍କ ଘର ଯାହାଙ୍କ ପୁତ୍ର ସର୍ବ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ସେ ଲଣ୍ଡନରୁ ଫେରିଥିଲେ ଏବଂ କୋଲକାତାରେ ପହଂଚିବା ପରେ ଚାରି ଆଡେ ବୁଲିଥିଲେ । ଉକ୍ତ ପିଲାଠୁ ସଂକ୍ରମଣ ବ୍ୟାପିଛି ନା ନାହିଁ ଏହାର ଯାଂଚ କରାଯାଉଛି ।
କୁହାଯାଉଛି ଯେ, କରୋନା ଚିହ୍ନଟ ୬୬ ବର୍ଷୀୟ ବ୍ୟକ୍ତି ମେଦିନିପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ମଧ୍ୟ ସଂକ୍ରମଣ ବ୍ୟାପି ଥାଇପାରେ ବୋଲି ଆଶଙ୍କା କରାଯାଉଛି, କାରଣ ସେହି ବିବାହ କାର୍ଯ୍ୟକ୍ରମରେ ବିଦେଶରୁ ଫେରିଥିବା କିଛି ଲୋକ ସାମିଲ ଥିଲେ । ବୃଦ୍ଧଙ୍କ ସଂପର୍କ ସେହି ଲୋକଙ୍କ ସହିତ ମଧ୍ୟ ହୋଇଥିଲା । ଉକ୍ତ ବିବାହ ସମାରୋହରେ ବିଦେଶରୁ ଫେରିଥିବା କେଉଁ କେଉଁ ଲୋକ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏହାର ଯାଂଚରେ ଜୁଟିଛନ୍ତି ।
ଉଲ୍ଲେଖନୀୟ ସଂପ୍ରତି କୋଲକାତାର ବୋଲିଆଘାଟ ଆଇଡି ହସ୍ପିଟାଲରେ କରୋନାରେ ସଂକ୍ରମିତ ଆଠ ଜଣ ଭର୍ତି ହୋଇଛନ୍ତି । କୋଲକାତାର ଆମ୍ରି ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କର କରୋନା କାରଣରୁ ମୃତ୍ୟୁ ଘଟି ସାରିଛି । ଏହି ପରି ରାଜ୍ୟରେ ପୀଡିତଙ୍କ ସଂଖ୍ୟା ୧୦ରେ ପହଂଚିଛି ।