ଭୁବନେଶ୍ୱର – ବିଶ୍ୱ ମହାମାରୀ କରୋନାର ଜଟିଳ ପରିସ୍ଥିତିରେ ଓଡିଶା-ମୋ ପରିବାର ଫସି ରହିଥିବା ଓଡିଶାର ହାରାହାରି ୭୦ ଜଣ ଶ୍ରମିକଙ୍କୁ ସହାୟତାର ହାତ ବଢାଇଛି । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ତାରିଖରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ ୭୦ ଜଣ ଓଡିଆ ଶ୍ରମିକ(ଭଦ୍ରକର ୧୫ଜଣ ଓ ଗଂଜାମର ୫୫ଜଣ) ଫସି ରହିଥିବାର ସୂଚନା ଶ୍ରୀ ଶେଷଦେବ ମିଶ୍ର ହେଲ୍ପ ଲାଇନ ନମ୍ବର ମାଧ୍ୟମରେ ଓଡିଶା-ମୋ ପରିବାରକୁ ସୂଚନା ଦେଇଥିଲେ । ଶ୍ରୀ ଶ୍ରୀନିବାସ ସ୍ପିନଟେକ୍ସ ନାମକ ଏକ ସୂତାକଳରେ ସମସ୍ତ ଶ୍ରମିକ କର୍ଯ୍ୟରତ ଥିଲେ । କୋଭିଡ୍-୧୯ର ଏହି ଜଟିଳମୟ ପରିସ୍ଥିତିରେ ସୂତାକଳର ମାଲିକ ପ୍ରାୟ ୬୦୦ଜଣ ଶ୍ରମିକଙ୍କୁ ସେମାନଙ୍କର ଦୁଇମାସରୁ ଉର୍ଦ୍ଧ୍ୱ ଦରମା ନଦେଇ ବାସସ୍ଥାନ ଛାଡି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଭଳି ପରିସ୍ଥିତିରେ ଶ୍ରମିକମାନେ ସମ୍ପୂର୍ଣ୍ଣ ରୂପେ ଅସହାୟ ହୋଇ ପଡିଥିଲେ । ପ୍ରଥମେ ଏହି ଘଟଣା ସମ୍ପର୍କରେ ଓଡିଶା-ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କୁ ଜଣାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଓ.ଏସ୍.ଡି ଡ. ଗୋପବନ୍ଧୁ ଦାସ ଓଡିଶା ଲେବର କମିଶନରଙ୍କୁ ଘଟଣା ସମ୍ପର୍କରେ ଜଣାଇ ଏଥିରେ ହସ୍ତକ୍ଷେପ କରିବା ଲାଗି ତାଙ୍କୁ ଅନୁରୋଧ କରିଥିଲେ । ୨୪ ମାର୍ଚ ଦିନ ନ ଆନ୍ଧ୍ରପ୍ରଦେଶର ଲେବର କମିଶନରଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇବା ପରେ ସେ ସୂତା କଳର ମାଲିକକୁ ସାମ୍ପ୍ରତିକ ଲକ୍ ଡାଉନ୍ର ପରିସ୍ଥିତିକୁ ନଜରରେ ରଖି ୬୦୦ ଶ୍ରମିକଙ୍କୁ ବାସସ୍ଥାନ ସହ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଲେବର କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ସୂତାକଳର ମାଲିକ ୬୦୦ ଶ୍ରମିକଙ୍କୁ ସୂତାକଳ ପରିସରରେ ରହିବାପାଇଁ ଅନୁମତି ଦେବା ସହ ତା.୩୧.୦୩.୨୦୨୦ ପର୍ଯ୍ୟନ୍ତ ସେମାନଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ ।
ଏହି ୭୦ ଜଣ ଓଡିଆ ଶ୍ରମିକ ମୁଖ୍ୟମନ୍ତ୍ରୀ, ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର ଲେବର କମିଶନର ଏବଂ ଓଡିଶା-ମୋ ପରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।