ନୂଆଦିଲ୍ଲୀ– କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଉପଭୋକ୍ତା ଓ ଖାଦ୍ୟ ଯୋଗଣ ମନ୍ତ୍ରୀ ରାମ ବିଳାସ ପାସଓ୍ାନ କହିଛନ୍ତି ଯେ, ସରକାର ବଜାରରେ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧତାକୁ ସୁନିଶ୍ଚିତ କରୁଛନ୍ତି ।
ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହିତ ସଂପର୍କ ରଖି ଜରୁରୀ ସାମଗ୍ରୀର ଅଭାବ ଯେମିତି ନହୁଏ ତାହା ସୁନିଶ୍ଚିତ କରାଯାଉଛି । ପାସଓ୍ାନ ବୁଧବାର ଟୁଇଟ୍ କରି ଏହା କହିଛନ୍ତି । ଉଲ୍ଲେଖନୀୟ ସରକାର ୨୧ ଦିନିକିଆ ଦେଶବ୍ୟାପୀ ଲକଡାଉନ ମଧ୍ୟରେ ଆଶ୍ୱସ୍ତ କରିବାକୁ ପ୍ରୟାସ କରୁଛନ୍ତି ଯେ, ଏହି ସମୟରେ ସାଧାରଣ ଜନତାଙ୍କୁ ଆବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ ।
ପାସଓ୍ାନ ଟୁଇଟ୍ କରି କହିଛନ୍ତି ଯେ, ସରକାର କରୋନା ଭୂତାଣୁର ବିପଦରୁ ଉତ୍ପନ ସ୍ଥିତିରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କେମିତି ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିବ ତାହା ଉପରେ ନଜର ରଖିଛନ୍ତି । ସମସ୍ତ ରାଜ୍ୟ ସରକାରଙ୍କ ସହ ଯୋଗ ଯୋଗ ରଖି କୌଣସି ଜରୁରୀ ସାମଗ୍ରୀର ଅଭାବ ଯେମିତି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ଏହା ସହିତ ସେ ବ୍ୟବସାୟୀ ଓ ଦୋକାନୀଙ୍କୁ ମଧ୍ୟ ପରିସ୍ଥିତିର ଫାଇଦା ନଉଠାଇ ଗ୍ରାହକଙ୍କଠୁ ଅଧିକ ଦର ଆଦାୟ ନକରିବାକୁ ଉପଦେଶ ଦେଇଛନ୍ତି । ପାସଓ୍ାନ ଟୁଇଟ୍ କରି ଲେଖିଛନ୍ତି ଯେ, ସମସ୍ତ ଉତ୍ପାଦକ ଓ ବ୍ୟବସାୟୀଙ୍କୁ ମଧ୍ୟ ଅପିଲ୍ କରାଯାଉଛି ଯେ, ଏହି ଘଡିସନ୍ଧୀ ମୁହୂର୍ତରେ କଳାବଜାରୀରୁ ନିବୃତ ରୁହନ୍ତୁ ।
ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାର ମାର୍ଚ୍ଚ ୨୩ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟକୁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ଠୁ ତିନି ମାସର ଶସ୍ୟ ଆଗୁଆ ଉଠାଇବାକୁ ଅନୁମତି ଦେଇଥିଲେ, ଯଦ୍ୱାରା ଏହି ସଂକଟର ଘଡିରେ ସାର୍ବଜନୀନ ବିତରଣ ପ୍ରଣାଳୀ(ପିଡିଏସ) ଆଧାରରେ ସମଗ୍ର ଦେଶରେ ଗରିବଙ୍କ ପର୍ଯ୍ୟାପ୍ତ ମାତ୍ରାରେ ରାସନ ଯୋଗାଇ ଦିଆଯାଇ ପାରିବ । ଉଲ୍ଲେଖନୀୟ ପିଡିଏସ ଆଧାରରେ ଦେଶର ୭୫ କୋଟି ପରିବାରଙ୍କୁ ଶସ୍ତାରେ ରାସନ ମିଳିଥାଏ । ଏବେ ସରକାରଙ୍କ ପାଖରେ ୪.୩୫ କୋଟି ଟନ ଅତିରିକ୍ତ ଶସ୍ୟ ସଂଚୟ ରହିଛି । ଏଥିରୁ ୨୭ କୋଟି ୨୧ ଲକ୍ଷ ୯୦ ହଜାର ଟନ ଚାଉଳ ଓ ୧୬ କୋଟି ୨୭ ଲକ୍ଷ ୯୦ ହଜାର ଟନ ଗହମ ଭଣ୍ଡାର ରହିଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରି କହିଥିଲେ ଯେ, ଏହି ସମୟରେ ଜରୁରୀ ସାମଗ୍ରୀର ଅଭାବ ହେବାକୁ ଦିଆଯିବ ନାହିଁ । ଅନ୍ୟପଟେ କେନ୍ଦ୍ର ସରକାର ମାର୍ଚ୍ଚ ୨୧ରେ ୬ ରାଜ୍ୟର ସ୍ଥାନୀୟ ପ୍ରଶାସନ ପାଇଁ ୨୫୭୦ କୋଟି ଟଙ୍କା ଫଣ୍ଡ ଜାରି କରିଥିଲେ ।