ନୂଆଦିଲ୍ଲୀ– କରୋନା ଭାଇରସର ଯାଂଚ ପାଇଁ ପ୍ରଥମ ମେଡ୍ ଇନ ଇଣ୍ଡିଆ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ ହୋଇ ଯାଇଛି । ପୁଣେର ମାଇଲ୍ୟାବ ଡିସକଭରୀ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ ପ୍ରଥମ ଦେଶୀ କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍ ବିକଶିତ କରିଛି । ଏହି କିଟକୁ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ ମଧ୍ୟ ଅନୁମୋଦନ ଦେଇଛି । କମ୍ପାନୀ ଅନୁଯାୟୀ ଗୋଟିଏ କିଟର ମୂଲ୍ୟ ୮୦ ହଜାର ଟଙ୍କା ଏବଂ ଏଥିରେ ୧୦୦ ରୋଗୀଙ୍କ ଯାଂଚ କରାଯାଇ ପାରିବ ।
କମ୍ପାନୀ କହିଛି ଆମଦାନୀ ହେଉଥିବା କିଟର ମୂଲ୍ୟ ଏଥିରୁ ଚାରି ଗୁଣା ଅଧିକ ରହିଛି । କମ୍ପାନୀ ଏହି ସପ୍ତାହରେ ଦେଢ ଲକ୍ଷ କିଟ୍ ପ୍ରସ୍ତୁତ କରି ପାରିବ । ସଂପ୍ରତି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯିବାକୁ ଉଦ୍ୟମ ଜାରି ରହିଛି । କମ୍ପାନୀରେ କାର୍ଯ୍ୟରତ ବୈଜ୍ଞାନିକ ରଞ୍ଜିତ ଦେଶାଇ ଏହି ନୂତନ ଆବିଷ୍କାର ବିଷୟରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ବର୍ତମାନ ଆମେ ଲକ୍ଷେରୁ ଦେଢ ଲକ୍ଷ ପର୍ଯ୍ୟନ୍ତ କିଟ୍ ଉତ୍ପାଦନ କରି ପାରିବୁ । ଉତ୍ପାଦନ ବୃଦ୍ଧି ଉପରେ ଲଗାତାର ଜୋର୍ ଦିଆଯାଉଛି । ଏହି କିଟର ମୂଲ୍ୟ ବଜାରରେ ମିଳୁଥିବା କିଟର ମୂଲ୍ୟଠୁ ଚାରି ଗୁଣ କମ ରହିଛି । ଗୋଟିଏ ଟେଷ୍ଟିଙ୍ଗ କିଟରେ ୧୦୦ ଜଣଙ୍କ ଯାଂଚ କରାଯାଇ ପାରିବ । ଏହା ବଜାରକୁ ଆସିବା ପରେ ଗୋଟିଏ ପ୍ରାଇଭେଟ୍ ଲ୍ୟାବରେ ଗୋଟିଏ ଦିନରେ କରୋନାର ୧୦୦୦ ପରୀକ୍ଷଣ କରାଯାଇ ପାରିବ । ସଂପ୍ରତି ଗୋଟିଏ ଲ୍ୟାବରେ ହାରାହାରି ଗୋଟିଏ ଦିନରେ ୧୦୦ ନମୂନାର ଯାଂଚ କରାଯାଇ ପାରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାର ସିଡିସିର ନିର୍ଦ୍ଦେଶ କ୍ରମେ ରେକର୍ଡ ସମୟରେ ଏହି କିଟ୍ ପ୍ରସ୍ତୁତ କରାଯାଇଛି ।