ଭୁବନେଶ୍ୱର– କୋଭିଡ଼-୧୯ ମହାମାରୀ ବ୍ୟାପିବା ଯୋଗୁ ସମଗ୍ର ଓଡ଼ିଶାରେ ସରକାର ଲକ୍ ଡାଉନ୍ ଲାଗୁ କରିବା ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ଗୁରତର ଅବସ୍ଥା ବିଶେଷକରି ଖଟିଖିଆ ପ୍ରବାସୀ ଶ୍ରମିକ, ଠିକା ଶ୍ରମିକ, ଅସ୍ଥାୟୀ ଶ୍ରମିକ, ନିର୍ମାଣ ଶ୍ରମିକ ସମେତ ଲକ୍ଷ ଲକ୍ଷ ଦିନ ମଜୁରିଆ ଶ୍ରମିକ ସେମାନଙ୍କର ଚୁଲି ମଧ୍ୟ ଜଳାଇ ନଥିବାର ବିଷମ ଅବସ୍ଥା ସମ୍ପର୍କରେ ଏଆଇଟିୟୁସି ଗଭୀର ଉଦବେଗ ପ୍ରକାଶ କରୁଛି । ଜନସାଧାରଣଙ୍କ ମନରୁ ଭୟ-ଆତଙ୍କ ଦୂରକରି ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ଏବଂ ଲୋକଙ୍କ ଭିତରେ ପ୍ରତିଷେଧକ ଓ ଚିକିତ୍ସା ନାମରେ ମିଥ୍ୟା କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରଚାର କରାଯାଉଥିବାବେଳେ ତାକୁ ପ୍ରତିହତ କରିବା ପାଇଁ ସରକାରୀ କଳର ସଚେତନତା ସୃଷ୍ଟିକାରୀ ଭୂମିକା ସମ୍ପର୍କରେ ଏବଂ ଏଭଳି ଜରୁରୀ ଅବସ୍ଥାର ମୁକାବିଲା ପାଇଁ ପ୍ରତିବଦ୍ଧତା ନେଇ ରାଜ୍ୟ ସରକାରଙ୍କ କୌଣସି ପ୍ୟାକେଜ୍ ଘୋଷଣା ନାହିଁ ।
ସରକାର ଲକ୍ ଡାଉନ ଘୋଷଣା କରି ସରକାରୀ ଏବଂ ବେସରକାରୀ କ୍ଷେତ୍ରମାନଙ୍କରେ ବିଭିନ୍ନ ସଂସ୍ଥାକୁ ବନ୍ଦ ଘୋଷଣା କରିଥିବାବେଳେ ଦିନ ମଜୁରିଆ ବିଶେଷକରି ଅସ୍ଥାୟୀ/ଠିକା/ରାସ୍ତାକଡ଼ ବୁଲା ବିକାଳୀ ଓ ହକ୍କର, କ୍ଷେତ ମୂଲିଆ, ନିର୍ମାଣ ଶ୍ରମିକ ଏବଂ ପ୍ରବାସୀ ଶ୍ରମିକମାନଙ୍କ ବଂଚିବା ସୁନିଶ୍ଚିତ କରିବା ପାଇଁ ଆର୍ଥିକ ସହାୟତା ସହିତ ସେମାନଙ୍କର ନିଯୁକ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଘୋଷଣା କରିବା ଆବଶ୍ୟକ ଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦିନ ମଜୁରିଆ ଓ ପ୍ରବାସୀ ଦାଦାନ ଶ୍ରମିକମାନଙ୍କ ଲଗି ଲକ୍ ଡ଼ାଉନ ସମୟ ପାଇଁ ସମ୍ପୁର୍ଣ୍ଣ ମଜୁରି ଦେବା ନିଶ୍ଚିତ କରାଯାଉ । ଏହି ସମୟରେ ସମସ୍ତ ବାଧିତ ଶ୍ରମଜୀବୀଙ୍କ ପରିବାରବର୍ଗ ପାଇଁ ରାସନ/ଖାଦ୍ୟ ପୁଡ଼ିଆ ଓ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଯାଉ ।
ନିଜର ଜୀବନକୁ ବିପନ୍ନ କରି ସ୍ୱାସ୍ଥ୍ୟ ସେବା, ବିତିୟ ସେବା, ବିଦୁ୍ୟତ୍ ସେବା, ଜରୁରୀ ପରିବହନ, ଜଳ ଯୋଗାଣ ଏବଂ ପରିମଳ ସେବା ପ୍ରଭୃତି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସୁରକ୍ଷା ଓ ନିରାପତା କ୍ଷେତ୍ରରେ ମାର୍ଗଦର୍ଶିକା ଏବଂ ନିର୍ଦ୍ଧିଷ୍ଟ ସହାୟତା ସରକାର ତୁରନ୍ତ ଘୋଷଣା କରନ୍ତୁ । ଓଡ଼ିଶାର ସରକାର ଲକ୍ ଡାଉନ ଯୋଗୁ ବାଧ୍ୟହୋଇ ଘରେ ବସିଥିବା ଶ୍ରମଜୀବୀ ଦିନମଜୁରିଆମାନଙ୍କୁ ତୁରନ୍ତ ସହାୟତା ଦେବା ଘୋଷଣା କରିବା ଦାବି ସାଙ୍ଗକୁ ରାଜ୍ୟବ୍ୟାପୀ ଏହି ସମୟରେ ଅଙ୍ଗନୱାଡ଼ି କର୍ମୀମାନେ ଘରଘର ବୁଲି ଲୋକଙ୍କୁ ରାସନ ବଂଟନ କରିବା ପାଇଁ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଓ ନିରାପତାକୁ ସୁନିଶ୍ଚିତ କରିବା ସହିତ ସ୍ୱଳ୍ପ ଭତା ପାଉଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କର ଭତା ବୃଦ୍ଧି କରିବାକୁ ଏଆଇଟିୟୁସି ରାଜ୍ୟ କମିଟି ଦାବି ଜଣାଇଛି ।
ଆଜିର କଠିନ ସମୟରେ ସ୍ୱାସ୍ଥ୍ୟସେବା ସମେତ ସମସ୍ତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତି ସେମାନଙ୍କର ସର୍ବୋତମ ମହୋତର ମାନବିକ ସେବା ଯୋଗାଉଥିବା ସମ୍ମୁଖ କ୍ଷେତ୍ରର ଶ୍ରମିକ ଓ କର୍ମଚାରୀମାନଙ୍କ ସହିତ ଏଆଇଟିୟୁସି ଏକାଠି ଦଣ୍ଡାୟମାନ ହେବା ସହିତ ରାଜ୍ୟ ସରକାରଙ୍କ ନିକଟରେ ଉପରୋକ୍ତ ସମସ୍ୟାମାନ ଉପସ୍ଥାପିତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରୁଛୁ । ସରକାର ସମସ୍ତଙ୍କ ପାଇଁ ବିପତି ସହାୟକ ପାଣ୍ଠି ଏବଂ ମେଡିକାଲ୍ ସହାୟତା ନୀତି ଘୋଷଣା କରିବା ସହିତ ସକଳ ସଂପଦର ସ୍ରଷ୍ଟା ଶ୍ରମଜୀବୀ ଜନତାଙ୍କ ସ୍ୱାର୍ଥର ସୁରକ୍ଷା କରିବା ପାଇଁ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ସୌରୀବନ୍ଧୁ କର ଦାବି କରିଛନ୍ତି ।