ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର ୧୮ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସମୟରେ ଅର୍ଥବ୍ୟବସ୍ଥା ସମ୍ମୁଖରେ କୋଭିଡ-୧୯ ଭଳି ଏକ ଅପ୍ରତ୍ୟାଶିତ ବାଧା ଉତ୍ପନ୍ନ ହୋଇଛି । ସେ କହିଥିଲେ ଯେ ଏହି ମହାମାରୀ ଯୋଗୁ ଦେଖାଇଥିବା ବିପଦ ବିଶ୍ୱ ଯୁଦ୍ଧ ଠାରୁ ମଧ୍ୟ ଭୟଙ୍କର । ତେଣୁ ଏହାର ପ୍ରସାର ରୋକିବା ଉପରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ।
ଅର୍ଥବ୍ୟବସ୍ଥାର ଆଧାର ହେଉଛି ବିଶ୍ୱାସ । ବିଶ୍ୱାସର ଅଭିନବ ଗୁଣ ହେଉଛି, କଷ୍ଟକର ଏବଂ ଆହ୍ୱାନପୂର୍ଣ୍ଣ ସମୟରେ ଏହାକୁ ହାସଲ କରିହେବ କିମ୍ବା ହରାଇବାକୁ ପଡ଼ିବ । ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ବିଶ୍ୱାସର ମାପଦଣ୍ଡ ଏବେ ଏକ କଠିନ ସ୍ଥିତିରେ ରହିଛି । ସେ କହିଥିଲେ ଯେ ପର୍ଯ୍ୟଟନ, ନିର୍ମାଣ, ଚିକିତ୍ସା ଏବଂ ଅସଂଗଠିତ କ୍ଷେତ୍ର ସମେତ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟକଳାପ ସମେତ ବିଭିନ୍ନ କ୍ଷେତ୍ର କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇଛି । ଆଗାମୀ ଦିନରେ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ ।
ବିପତିର ମୁକାବିଲା ଲାଗି ଅଗ୍ରଣୀ ତଥା ସକ୍ରିୟ ଭୂମିକା ଗ୍ରହଣ କରିଥିବା କାରଣରୁ ପ୍ରଧାନମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ଜରୁରି ସାମଗ୍ରୀ ଯୋଗାଣ ଏବଂ ଭେଂଟିଲେଟର, ଆଇସୋଲେସନ ୱାର୍ଡ ସୃଷ୍ଟି ପାଇଁ ସହାୟତା, କୋଭିଡ-୧୯ ନିରାକରଣ ପାଇଁ ସିଏସଆର ପାଣ୍ଠିର ବିନିଯୋଗ ଏବଂ ସ୍ଥାନାନ୍ତରିତ ଶ୍ରମିକଙ୍କ ପାଇଁ ସହାୟତା ବ୍ୟବସ୍ଥା ଦିଗରେ ସେମାନେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।
ବ୍ୟାଙ୍କିଙ୍ଗ, ଅର୍ଥ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତିଭୂମି ଆଦି କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସେମାନେ ଆଲୋଚନା କରିଥିଲେ ଏବଂ ଆର୍ଥିକ ଓ ବିତିୟ ସହାୟତା ଜରିଆରେ ଏସବୁ ଆହ୍ୱାନର ମୁକାବିଲା ପାଇଁ ଅନୁରୋଧ କରିଥିଲେ । କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଲାଗି ଆର୍ଥିକ କ୍ଷତି ସତ୍ୱେ ଲକଡାଉନ କାର୍ଯ୍ୟକାରୀ କରାଯିବାକୁ ଶିଳ୍ପ ପ୍ରତିନିଧିମାନେ ପ୍ରଶଂସା କରିଥିଲେ ।
ଅସଂଗଠିତ କ୍ଷେତ୍ର ପାଇଁ ଗୋଟିଏ ସ୍ୱରରେ କହିଥିବା କାରଣରୁ ପ୍ରଧାନମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ତଥା ଏହା ଅର୍ଥନୈତିକ ଏକୀକରଣ ଦିଗରେ ଏକ ନୂଆ ଯୁଗର ଆରମ୍ଭ ବୋଲି କହିଥିଲେ । ଟେକନୋଲୋଜିର ବ୍ୟବହାର କରି ଘରୁ ଥାଇ କାମ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଅନୁମତି ଦେବା ଲାଗି ସେ ନିବେଦନ କରିଥିଲେ । ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ସତ୍ୱେ ମାନବୀୟ ଭାବନା ନେଇ କର୍ମଚାରୀଙ୍କ ଦରମା ନକାଟିବାକୁ ସେ ଅନୁରୋଧ କରିଥିଲେ ।
ଏପରି ସମୟରେ ଜରୁରି ସାମଗ୍ରୀର ଉତ୍ପାଦନ ପ୍ରଭାବିତ ହେବା ଅନୁଚିତ ଏବଂ କଳାବଜାରୀ ଓ ମହଜୁଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ସେ ‘ସ୍ୱଚ୍ଛତା’ ଉପରେ ଗୁରୁତ୍ୱାରୋପ କରିବା ସହିତ କାରଖାନା, ଅଫିସ ଓ କାର୍ଯ୍ୟସ୍ଥଳୀରେ କୋଭିଡ-୧୯ ସଂକ୍ରମଣ ନିରାକରଣ ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା ବିରୋଧରେ ଆମର ଲଢ଼େଇରେ ସାମାଜିକ ଦୂରତା ରକ୍ଷା କରିବା ସବୁଠୁ ବଡ଼ ଅସ୍ତ୍ର । ଏପରି ଏକ କଠିନ ପରିସ୍ଥିତିରେ ମହାମାରୀ ରୋକିବା ଦିଗରେ ମାନବୀୟ କାରଣ ଲାଗି ସିଏସଆର ପାଣ୍ଠିର ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଏବଂ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ସଚିବ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ ।