ଗଞ୍ଜାମ– କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସ୍ତରରେ ପ୍ରୟାସ ଜାରୀ ରହିଛି । ପ୍ରଶାସନ ପକ୍ଷରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଗତକାଲି ଏଥିରେ କିଛିଟା କୋହଳ ହୋଇଥିଲା । ହେଲେ ଆଜି ଠାରୁ ପ୍ରଶାସନ ପକ୍ଷରୁ ଏହି ନିୟମକୁ କଡ଼ାକଡ଼ି କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।
ପ୍ରଶାସନର ଏହି ନିଷ୍ପତି କ୍ରମେ ଆଜି ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆତ୍ୟାବଶ୍ୟକ ସାମଗ୍ରୀ, ଗ୍ରୋସରୀ, ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ । ଔଷଧ ଦୋକାନ ୨୪ ଘଂଟା ଖୋଲା ରହିବ । ଦୁଇ ଚକିଆ ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ଅତି ଜରୁରୀ ନଥିଲେ କେହି ବାହାରକୁ ବାହାରିବେ ନାହିଁ । ସେହିପରି ଆଜି ଠାରୁ ସରକାରୀ ଯାନବାହନକୁ ବାଦ୍ ଦେଲେ କୌଣସି ଗାଡି ଚଳାଚଳ କରିବ ନାହିଁ । ବ୍ରହ୍ମପୁର ସହର ସମେତ ଜିଲ୍ଲାର କୌଣସି ସ୍ଥାନରେ ଗାଡି ଚଳାଚଳ କରୁଥିବାର ନଜର ଆସିଲେ ପୋଲିସ ଓ ଆରଟିଓ ପକ୍ଷରୁ ସମ୍ପୃକ୍ତ ଗାଡି ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ତେବେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏଥି ନିମନ୍ତେ ପାସ୍ ମିଳିବ ।