-
ତିନୋଟି ପର୍ଯ୍ୟାୟରେ ସମସ୍ତ ୩୦ଟି ଜିଲ୍ଲାରେ ଲକ ଡାଉନ
-
ଆଜି ରାତିରୁ ଲାଗୁ ହେବ ୧୬ଟି ଜିଲ୍ଲାରେ ଲକ ଡାଉନ
ଭୁୁବନେଶ୍ୱର । କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଳକା ୧୬ ଟି ଜିଲ୍ଲାରେ ମଧ୍ୟ ଆଜି ରାତ୍ରୀରୁ ଆଗାମୀ ୨୯ମାର୍ଚ ଯାଏ ଲକ ଡାଉନ ଜାରୀ କରିବାକୁ ଘୋଷଣା କରିଛନ୍ତି । ଏହିପରି ଭାବରେ ତିନୋଟି ପର୍ଯ୍ୟାୟରେ ସମସ୍ତ ୩୦ ଟି ଜିଲ୍ଲାରେ ଲକ ଡାଉନ କରିବାକୁ ଘୋଷଣା କରା ଯାଇଛି । ରାଜ୍ୟ ସରକାରଙ୍କ କୋବିଡ-୧୯ର ମୁକାବିଲା କରିବାକୁ ଗଠିତ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଆଜି ଲକ ଡାଉନ ଘୋଷଣା କରା ଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ମୟୁରଭଂଜ,ବରଗଡ. କେନ୍ଦୁଝର, ଦେବଗଡ, ବଲାଙ୍ଗୀର, ସୁବର୍ଣପୁର, ସୁନ୍ଦରଗଡ, ଗଜପତି, କନ୍ଧମାଳ, ବୌଦ୍ଧ, କଲାହାଣ୍ଡି, ନୂଆପଡା, କୋରାପୁଟ, ରାୟଗଡା, ନବରଙ୍ଗପୁର,ମାଲକାନଗିରି ସାମିଲ ରହିଛି ।
ସେ କହିଛନ୍ତି ଯେ ଲକ ଡାଉନ ସମୟରେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆ ଯାଇଛି । ଲକ ଡାଉନ ବେଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ସେ କହିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଜାରୀ ରହିବ ।
ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ପାଂଚଟି ଜିଲ୍ଲା ତଥା ୮ଟି ସହରରେ ଲକ ଡାଉନ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲା ମାନଙ୍କରେ ଲକ ଡାଉନ ଘୋଷଣା କରା ଯାଇଥିଲା ସେଗୁଡିକ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା ସାମିଲ ଥିଲା । ସେହିପରି ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ମଧ୍ୟ ଲକ ଡାଉନ ଘୋଷଣା କରା ଯାଇଥିଲା ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦିନ ରାଜ୍ୟ ସରକାର ଆଉ ୯ ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ।