ଭୁବନେଶ୍ୱର– ସୋମବାର ପୂର୍ବାହ୍ନ ୧୧ଟାରୁ ଆନ୍ତଃ ରାଜ୍ୟ ବସ ଚଳାଚଳକୁ ବନ୍ଦ କରି ଦିଆ ଯାଇଛି । ପରବର୍ତୀ ଆଦେଶ ଯାଏ ଏହି ଆନ୍ତଃ ରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ଉଲ୍ଲେଖନୀୟ ଯେ ରବିବାର ଦିନ ରାଜ୍ୟ ସରକାର ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳକୁୁ ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତି ନେଇଥିଲେ । ଏହି ନିଷ୍ପତିରେ ରାଜ୍ୟ ସରକାର କହିଥିଲେ ଯେ ସୋମବାର ପୂର୍ବାହ୍ନ ୧୧ଟା ପରେ ଓଡ଼ିଶାକୁ ବାହାର ରାଜ୍ୟର କୌଣସି ବସ୍କୁ ଗନ୍ତବ୍ୟ ସ୍ଥଳରେ ପହଂଚାଇବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଓଡ଼ିଶାରୁ ଅନ୍ୟ ରାଜ୍ୟକୁ କୌଣସି ଆନ୍ତଃରାଜ୍ୟ ବସ୍ ଚଳାଚଳ କରିବ ନାହିଁ ।
ସେହିପରି ଦ୍ରବ୍ୟ ଓ ସେବା ନିମନ୍ତେ ଓଡ଼ିଶା ସରକାର ଏକ ରାଜ୍ୟସ୍ତରୀୟ ମନିଟରିଂ ୟୁନିଟ୍ ଗଠନ କରିଛନ୍ତି । ଏହି କମିଟି ଆବଶ୍ୟକତା ଆକଳନ କରିବା ସହିତ ବିଭିନ୍ନ ଦ୍ରବ୍ୟର ପରିବହନକୁ ତଦାରଖ କରିବ ଏବଂ ପ୍ରତିବନ୍ଧକ ଦୂର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହା ମଧ୍ୟ ବ୍ୟବସାୟୀ ଓ ପରିବହନସଂପୃକ୍ତ ବ୍ୟକ୍ତି(ଟ୍ରାନ୍ସପୋର୍ଟର) ଙ୍କୁ ନିଜ ନିଜ ସମସ୍ୟା ଉପସ୍ଥାପନ ଓ ସମାଧାନ ନିମନ୍ତେ ସୁଯୋଗ ଦେବ ।