ମୁମ୍ବାଇ– ମହାରାଷ୍ଟ୍ରରେ କରୋନା ଭୂତାଣୁରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଂଚିଛି । ରୋଗୀ କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁଯାୟୀ ଗତ ୨୪ ଘଂଟାରେ ମୁମ୍ବାଇରେ ୧୪ ଓ ପୁଣେରେ ଗୋଟିଏ କରୋନା ମାମଲା ସାମ୍ନାକୁ ଆସିଛି । ଯାହା ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୯ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
କରୋନା ଭୂତାଣୁରେ ରବିବାର ୬୮ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ଫିଲିପାଇନ୍ସର ନାଗରିକ ଥିଲେ ଏବଂ ୧୦ ଜଣଙ୍କ ସହ ଧାର୍ମିକ ଯାତ୍ରାରେ ଭାରତ ଆସିଥିଲେ । ନଭି ମୁମ୍ବାଇର ମଜସିଦରେ ଏହି ସବୁ ଲୋକ ରହିଥିଲେ ଏବଂ ଦିଲ୍ଲୀରେ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ସମ୍ଭାବିତ କରୋନା ରୋଗୀ ହିସାବରେ ମାର୍ଚ୍ଚ ୧୦ରେ କସ୍ତୁରବା ହସ୍ପିଟାଲରେ ଭର୍ତି କରାଯାଇଥିଲା । ମାର୍ଚ୍ଚ ୧୨ରେ ଏମାନେ ସବୁ କରୋନା ପଜିଟିଭ ଥିବା ପରୀକ୍ଷାରୁ ଜଣା ପଡିଥିଲା ।ଋବିବାର ବିଳମ୍ବିତ ରାତ୍ରିରେ କସ୍ତୁରବା ହପ୍ପିଟାଲରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି । ହସ୍ପିଟାଲ କର୍ତୃପକ୍ଷ ଫିଲିପାଇନ୍ସ ନାଗରିକଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ମଧ୍ୟ ଯାଂଚ କରୁଛି । ଏହା ପୂର୍ବରୁ କସ୍ତୁରବା ହସ୍ପିଟାଲରେ ଜଣେ ଏବଂ ଏଚ.ଏନ ରିଲାୟନ୍ସ ହସ୍ପିଟାଲରେ ଦୁଇ ଜଣ ବ୍ୟକ୍ତିଙ୍କ କରୋନା କାରଣରୁ ମୃତ୍ୟୁ ଘଟି ସାରିଛି । ରବିବାର ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ ସହରବାସୀ ଭୟଭୀତ ହୋଇ ପଡିଛନ୍ତି । ସ୍ଥିତି ଚିନ୍ତାଜନକ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଓ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି ।