-
ସବୁଠି ଶୁନଶାନ୍
ଭୁବନେଶ୍ୱର– କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରବିବାର ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ସକାଳ ୭ଟାରୁ ରାତି ୯ ଟା ପର୍ଯ୍ୟନ୍ତ କର୍ଫ୍ୟୁ ପାଳନ କରାଯିବ । ଓଡ଼ିଶାବାସୀ ମଧ୍ୟ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ଦେଇଥିବାର ପରିଲକ୍ଷିତ ହୋଇଛି । ରବିବାର ସକାଳ ୭ଟାରୁ ସାରା ରାଜ୍ୟରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହେଉଛି । ଏଥିଲାଗି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ସକାଳ ୭ ଟାରୁ ସ୍ୱତଃପ୍ରବୃତ ଭାବେ ବନ୍ଦ ରହିଛି ଦୋକାନ ବଜାର , ଗାଡ଼ି ମୋଟର । ତେବେ ଜରୁରୀ ସେବା ଗୁଡିକ ଜାରି ରହିଛି । ଜନତା କଫ୍ୟୁକୁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ମଧ୍ୟ ସମର୍ଥନ ଜଣାଇଥିଲେ ।
ô ଓଡ଼ିଶାରେ ରବିବାର ଦିନ ପରିବହନ ସେବା ଯୋଗାଉଥିବା କୌଣସି ବି ଯାନବାହାନ ଗଡ଼ି ନାହିଁ । ସରକାରୀ, ବେସରକାରୀ ବସ୍ , ଅଟୋ ଓ ଟାକ୍ସି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ପ୍ରାୟ ୪୦୦ ବସ୍ ସେବା ବନ୍ଦ ରହିଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଜନତା କର୍ଫ୍ୟୁକୁ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି । ଏଥିପାଇଁ ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ବନ୍ଦ ରହିଛି । ସୋମବାର ଗାଡ଼ି ଚଳାଚଳ ସ୍ୱାଭାବିକ ହେବ ।
ସେହିପରି ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ନିଖିଳ ଓଡ଼ିଶା ଅଟୋଚାଳକ ଓ ନିଖିଳ ଓଡ଼ିଶା କାର୍ ଓ ଟାକ୍ସି ଚାଳକ ମହାସଂଘ ନିଷ୍ପତି ନେଇଛି । ରାଜ୍ୟରେ ଥିବା ୧ ଲକ୍ଷ ୫୦ ହଜାର ଅଟୋଚାଳକ ସେମାନଙ୍କ ପରିବହନ ସେବା ବନ୍ଦ ରଖିଛନ୍ତି । ଏହାସହିତ ପ୍ରାୟ ୮ ଲକ୍ଷ କାର୍ ଟାକ୍ସି ଚାଳକ ମଧ୍ୟ ଯାତ୍ରୀ ସେବା ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି ।
ତେବେ ଜନତା କର୍ଫ୍ୟୁରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ୍ ଷ୍ଟାଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମ୍ୟୁନିସିପାଲିଟି କର୍ମଚାରୀ ଓ ବିମାନବନ୍ଦର କର୍ମଚାରୀ ମଧ୍ୟ ସେମାନଙ୍କ କାମ କରିବେ । ପୋଲିସ୍, ରେଲୱେ, ହୋମ୍ ଡେଲିଭରୀ ଓ ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ।