-
ମାର୍ଚ୍ଚ ୨୯ ରାତି ୯ ଟା ପର୍ଯ୍ୟନ୍ତ ଜାରୀ ରହିବ
ଭୁବନେଶ୍ୱର- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଠାରୁ ୫ ଜିଲ୍ଲା ଓ ୮ ସହରରେ ଆରମ୍ଭ ହୋଇଛି ଲକ୍ ଡାଉନ୍ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଆଦି ୫ ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ କରିବା ପାଇଁ ରାଜ୍ୟ ସରକାର ଗତକାଲି ଘୋଷଣା କରିଥିଲେ ।
ଲକ୍ ଡାଉନ୍ ସମୟରେ କେବଳ ବସ୍, ଟ୍ରେନ୍ ଓ ବିମାନ ସେବା ସହିତ ସଉଦା ଦୋକାନ, କ୍ଷୀର , ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ୍ ମଧ୍ୟ ଖୋଲା ରହିବ ବୋଲି ଗତକାଲି ଘୋଷଣାରେ କୁହାଯାଇଥିଲା ।
ସେହିପରି ଏସବୁ ଅଂଚଳରେ ଡାକ୍ତରଖାନା, ବ୍ୟାଙ୍କ,ଏଟିଏମ୍, ମ୍ୟୁନିସିପ।।ଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍ , ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବା ନେଇ ଘୋଷଣା ହୋଇଥିଲା ।
ଘୋଷଣା ଅନୁଯାୟୀ ଉପରୋକ୍ତ ୫ ଗୋଟି ଜିଲ୍ଲା ଓ ୭ ଗୋଟି ସହରରେ ସାମାଜିକ ସୁରକ୍ଷା ପେନସନ ଓ ସାଧାରଣ ବଂଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ପାଇଁ ସ୍ଥଗିତ ରଖାଯାଇଛି । ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେ କୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ ବା ଯୋଗ କରିପାରିବେ ।
ସେହିପରି ଲୋକଙ୍କ ସ୍ୱାର୍ଥ ପାଇଁ ଏହି କଟକଣା କରାଯାଇଛି । ଏହାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଉକ୍ତ ଘୋଷଣାରେ କୁହାଯାଇଥିଲା ।