ମାଲକାନଗିରି/ରାୟପୁର– କରୋନା ସଂକ୍ରମଣକୁ ରୋକିବା ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିବା ବେଳେ ଏଥି ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଏଲମାଗୁଡ଼ା ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ । ଏଥିରେ ୧୪ ଜଣ ଯବାନ ଆହତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୪ ଜଣ ନିଖୋଜ ଥିବା ସୂଚନା ମିଳିଛି ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଏଲମାଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଶନିବାର ଅପରାହ୍ନରେ ସିଆରପିଏଫ, ଏସଟିଏଫ, ଜିଲ୍ଲା ପୋଲିସର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନରେ ଘଟଣାସ୍ଥଳକୁ ଯାଇଥିଲେ । ପୂର୍ବରୁ ଯବାନ ମାନଙ୍କ ଆସିବା ବାଟକୁ ଚାହିଁ ଆମ୍ବୁସ୍ କରି ଛକି ରହିଥିବା ମାଓବାଦୀ ମାନେ ଯବାନଙ୍କୁ ଦେଖି ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ । ଦୀର୍ଘ ୧ ଘଂଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ମାଓବାଦୀଙ୍କ ଗୁଳିରେ ୧୪ ଜଣ ଯବାନ ଆହତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୪ ଜଣ ନିଖୋଜ ଅଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଆହତ ମାନଙ୍କୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ରାଇପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ନିଖୋଜ ଥିବା ଅନ୍ୟ ୧୪ ଜଣ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ସମ୍ପୃକ୍ତ ଅଂଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ପୋଲିସର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ମଧ୍ୟ ନିୟୋଜିତ ରହିଛି । ସମ୍ପୃକ୍ତ ଅଂଚଳକୁ ଘେରାବନ୍ଦୀ କରି ଯବାନ ମାନେ ସର୍ଚ୍ଚ ଅପରେସନ ଜାରୀ ରଖିଛନ୍ତି ।
ଅନ୍ୟପକ୍ଷରେ ପୋଲିସ ଗୁଳିରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ ଦାବି କରୁଥିବା ବେଳେ ବର୍ତମାନ ସୁଦ୍ଧା ଘଟଣାସ୍ଥଳରୁ ଜଣେ ବି ମାଓବାଦୀଙ୍କ ମୃତଦେହ ଜବତ କରାଯାଇନାହିଁ । ସେହିପରି ଏହି ଅପରେସନରେ ଯବାନ ମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ପ୍ରୋସେଜ୍ୟୁର (ଏସଓପି) ସଠିକ୍ ଭାବେ ପାଳନ କରାଯାଇଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ ।