ଝାରସୁଗୁଡ଼ା– କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ଜିଲ୍ଲା ଓ ୮ଟି ସହରକୁ ସମ୍ପୂର୍ଣ୍ଣ ଲକ୍ ଆଉଟ୍ ଘୋଷଣା କରାଯାଇଥିବା ବେଳେ ଆଜି ଅନ୍ୟ ଏକ ଘୋଷଣା କ୍ରମେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲଟିକୁ ମଧ୍ୟ ଲକ୍ ଆଉଟ୍ ଘୋଷଣା କରାଯାଇଛି । ଆଜି ସକାଳେ ଜିଲ୍ଲାପାଳ ସରୋଜ କୁମାର ସାମଲ ଏନେଇ ସୂଚନା ଦେଇଛନ୍ତି । ଏହି ଲକ୍ ଆଉଟ୍ ୨୨ ରେ ଆରମ୍ଭ ହୋଇଥିବା ବେଳେ ୨୯ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ ।
ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୫ଟି ବ୍ଲକ ଓ ୩ଟି ମ୍ୟୁନିସିପାଲଟି ଅଂଚଳରେ ଆଜି ସ୍ୱତଃପ୍ରବୃତ ଭାବେ ବନ୍ଦ ପାଳନ କରାଯାଇଛି । ଏଥିରୁ ଜଣାପଡୁଛି କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଜନତା କର୍ଫ୍ୟୁକୁ ଜନସାଧାରଣ ବିପୁଳ ମାତ୍ରାରେ ସମର୍ଥନ ଜଣାଇଛନ୍ତି । ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ମେଡିସିନ ଦୋକାନ ଓ କେତେକ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି । ଘରୁ କୌଣସି ଲୋକ ବାହାରକୁ ବାହାରୁ ନାହାଁନ୍ତି । କାଁ ଭାଁ ଅତି ଜରୁରୀ କାମରେ ବାହାରେ କିଛି ଲୋକ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉ କି, ଏଥି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ା ଟାଉନକୁ ଲକ୍ ଆଉଟ୍ ଘୋଷଣା କରାଯାଇଥିଲା ।