ନୂଆଦିଲ୍ଲୀ– ଇଟାଲୀରେ ଫସିଥିବା ୨୬୩ ଭାରତୀୟ ଛାତ୍ରଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ଅନ୍ୟପଟେ ଇଟାଲୀରେ ଗୋଟିଏ ଦିନରେ ୭୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ମାରାତ୍ମକ ସଂକ୍ରମଣରେ ସମଗ୍ର ଦୁନିଆରେ ଅଦ୍ୟାବଧି ୧୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ଦୁଇ ଲକ୍ଷ ୫୦ ହଜାରରୁ ଅଧିକ ରହିଛି । ଇଟାଲୀରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁଜନିତ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟି ୪୦୩୨ରେ ପହଂଚିଛି । ଏହି ପରି ପଜିଟିଭ ରୋଗୀଙ୍କ ସଂଖ୍ୟା ବଢି ୪୭,୦୨୧ ହୋଇଛି ।
ଇଟାଲୀରେ ଭାରତୀୟ ଦୂତାବାସ ଟୁଇଟ୍ କରି କହିଛନ୍ତି ଯେ, ୨୬୩ ଭାରତୀୟ ଛାତ୍ରଙ୍କୁ ନେଇ ରୋମ୍ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଭାରତ ଅଭିମୁଖେ ଯାତ୍ରା କରିଛି । ବୁଧବାର ଇଟାଲୀ ସ୍ଥିତ ଭାରତୀୟ ଦୂତାବାସ କହିଥିଲେ ଯେ, ରାଜଧାନୀ ରୋମ୍ ଏବଂ ଏହାର ଆଖପାଖ ଅଂଚଳରେ ଫସିଥିବା ୩୦୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସହାୟତା କରାଯାଇଥିଲା ।
କରୋନା ଭୂତାଣୁର ପ୍ରକୋପ କାରଣରୁ ୟୁରୋପୀୟ ରାଷ୍ଟ୍ରରେ ପାଖାପାଖି ୨୮ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଓ୍ବସାଇଟ୍ ରେ ଉପଲବ୍ଧ ସଦ୍ୟତମ ସୂଚନା ଅନୁସାରେ, ସମଗ୍ର ବିଶ୍ୱରେ ୨,୬୬,୦୦୦ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ କୋଭିଡ୍-୧୯ରେ ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି ।