ପାଟନା– ଜନତା କର୍ଫ୍ୟୁ ଦିନ ବିହାରରେ କରୋନା ଭାଇରସରେ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପାଟନା ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ସୂଚନା ଏମ୍ସ ନିର୍ଦ୍ଦେଶକ ଦେଇଛନ୍ତି । ମୃତକଙ୍କ ନାଁ ସୈଫ ଅଲୀ । ସେ ମୁଙ୍ଗେରର ବାସିନ୍ଦା । ନିକଟରେ ସେ କାତାରରୁ ଫେରିଥିଲେ । ୩୮ ବର୍ଷୀୟ ଅଲୀଙ୍କୁ ଦୁଇ ଦିନ ପୂର୍ବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
ଏହା ସହିତ ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କୁ ପାଟନାର ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ସ୍ୱାସ୍ଥ୍ୟ ସଚିବ ସଞ୍ଜୟ କୁମାର ଏହାର ସୂଚନା ଦେଇଛନ୍ତି । ଏହି ବ୍ୟକ୍ତି ସ୍କଟଲାଣ୍ଡରେ କାମ କରୁଥିଲେ ।
ଆଜି ବିହାରରେ ଜନତା କର୍ଫ୍ୟୁ ସଂପୂର୍ଣ୍ଣ ଭାବେ ସଫଳ ରହିଛି । ଜନତା ଏହାକୁ ପୂରା ସମର୍ଥନ କରିଛନ୍ତି । ସହରର ସଡକ କିମ୍ବା ରାଜମାର୍ଗ ପୂରା ଶୂନ ଶାନ ରହିଛି । ଲୋକେ ଜରୁରୀ ପଡିଲେ ମଧ୍ୟ ବାହାରକୁ ବାହାରୁ ନାହାନ୍ତି । ଆଜି ମୁମ୍ବାଇରୁ ଏକ ସ୍ୱତନ୍ତ୍ର ଟ୍ରେନ ସେଠାରୁ ବିହାରୀ ଶ୍ରମିକଙ୍କୁ ନେଇ ଦାନାପୁର ଷ୍ଟେସନ ପହଂଚିଛି । ଏହାକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି ।
ଷ୍ଟେସନରେ ଟ୍ରେନରୁ ଓହ୍ଲାଇବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ଧାଡିରେ ଛିଡା କରାଇ ଯାଂଚ ଓ ସ୍କ୍ରିନିଂ କରାଯାଇଛି। ପାଖାପାଖି ୪୦୦୦ ଯାତ୍ରୀ ଏହି ଟ୍ରେନରେ ଆସି ବିହାରରେ ପହଂଚିଛନ୍ତି । ସହରର ଜନଗହଳିପୂର୍ଣ୍ଣ ଇଲାକାରେ ମଧ୍ୟ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି ।