ମୁମ୍ବାଇ– ମୁମ୍ବାଇରେ ରବିବାର ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ୬୩ ବର୍ଷ । ଏହା ସହିତ ମହାରାଷ୍ଟ୍ରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଂଚିଛି । ମୁମ୍ବାଇରେ ରବିବାର ୬ ଓ ପୁଣେରେ ୪ କରୋନା ରୋଗୀ ଚିହ୍ନଟ କରାଯାଇଛି । ଏଥିରେ ରାଜ୍ୟରେ କରୋନା ଭାଇରସ ରୋଗୀ ସଂଖ୍ୟା ବୃଦ୍ଧି ଘଟି ୭୪ ହୋଇଛି ।
ନଗର ନିଗମର ସୂଚନା ଅନୁଯାୟୀ, ମୃତକ ବ୍ୟକ୍ତି ବିଦେଶରୁ ମୁମ୍ବାଇ ଫେରିଥିଲେ । ସେହି ବ୍ୟକ୍ତିଠାରେ କରୋନା ଲକ୍ଷଣ ମିଳିବା ପରେ ତାଙ୍କୁ ମୁମ୍ବାଇର ଏଚ.ଏନ.ରିଲାୟନ୍ସ ହସ୍ପିଟାଲରେ ଚିକିତ୍ସା ଲାଗି ମାର୍ଚ୍ଚ ୧୯ରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହା ପୂର୍ବରୁ ମୁମ୍ବାଇରେ କସ୍ତୁରବା ହସ୍ପିଟାଲରେ କରୋନାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ମୁମ୍ବାଇରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କର ମାହୋଲ ରହିଛି । ଏଥିପାଇଁ ମୁମ୍ବାଇବାସୀ ଆଜି ଜନତା କର୍ଫ୍ୟୁକୁ ସମର୍ଥନ ଦେଇ ସ୍ୱତଃ ପ୍ରବୃତ ଘରେ ରହିବାକୁ ପସନ୍ଦ କରିଛନ୍ତି । ଫଳରେ ସର୍ବଦା ଘଂଟାର କଂଟା ପରି ଅନବରତ ଚାଲୁଥିବା ମାୟା ନଗରୀ ମୁମ୍ବାଇର ଗତି ଥମି ଯାଇଛି । ପୂରା ସହରର ସଡକ ଖାଁ ଖାଁ ଲାଗୁଛି ।