-
୨୫ ଟି ଅଣ କ୍ରିଟିକାଲ ବିଭାଗର କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ମନା
ଭୁବନେଶ୍ୱର – କରୋନା ସଂକ୍ରମଣ ରୋକିବା ନେଇ ରାଜ୍ୟ ସରକାର ନିଜର ୨୫ଟି ବିଭାଗର କର୍ମଚାରୀଙ୍କୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି । ଏସବୁ ବିଭାଗର ଅଫିସର ଓ କର୍ମଚାରୀମାନେ ଅଫିସ୍ ନଆସିଲେ ମଧ୍ୟ ଯେକୌଣସି ସମୟରେ ନୋଟସ୍ ପାଇ ଅଫିସ୍ ଆସିବାକୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି । ସେହିପରି ଫୋନ୍ ମାଧ୍ୟମରେ ନିଜ ବିଭାଗର କାର୍ଯ୍ୟର ଅନୁଧ୍ୟାନ କରିବାକୁ ସେମାନଙ୍କୁ କୁହାଯାଇଛି । ଏସମ୍ପର୍କରେ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
କରୋନା ମୁକାବିଲା ପାଇଁ ଗତକାଲି ୫ଟି ବିଭାଗକୁ “କ୍ରିଟିକାଲ’, ୧୬ଟି ବିଭାଗକୁ “ଆଂଶିକ କ୍ରିଟିକାଲ’ ଓ ୧୮ଟି ବିଭାଗକୁ “ଅଣକ୍ରିଟିକାଲ’ ଭାବେ ବର୍ଗୀକୃତ କରି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସେସବୁ ବିଭାଗର ଅଫିସର ଓ କର୍ମଚାରୀଙ୍କ ଦାୟିତ୍ୱ ବଂଟନ କରିଥିଲା । ରବିବାର ସଂଶୋଧିତ ନିର୍ଦ୍ଦେଶାନାମା ଜାରି କରି କିଟ୍ରିକାଲ ବର୍ଗରେ ୬ଟି ବିଭାଗକୁ ରଖିଥିବାବେଳେ ଆଂଶିକ କ୍ରିଟିକାଲ ବର୍ଗରେ ୯ଟି ବିଭାଗକୁ ସାମିଲ କରିଛି । ଅନ୍ୟ ୨୫ଟି ବିଭାଗକୁ ଅଣକ୍ରିଟିକାଲ ବର୍ଗରେ ରାଜ୍ୟ ସରକାର ସାମିଲ କରିଛନ୍ତି ।
ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ, କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୨୨ତାରିଖ ସକାଳ ୭ଟାରୁ ମାର୍ଚ୍ଚ ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେଣୁ କ୍ରିଟିକାଲ ବର୍ଗରେ ଥିବା ୬ଟି ବିଭାଗ ଯଥା ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସଆରସି ଓ ଓସଡମାର ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କୁ ଅଫିସରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ବିଭାଗର ସଚିବମାନେ ସେମାନଙ୍କ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଉଦ୍ୟୋଗ ସମ୍ପର୍କରେ ନିଷ୍ପତି ନେବେ ।
ସେହିପରି ବାଣିଜ୍ୟ ଓ ପରିବହନ, ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଂଚାୟତିରାଜ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପୂର୍ତ ବିଭାଗକୁ “ଆଂଶିକ କ୍ରିଟିକାଲ’ ଭାବେ ବର୍ଗୀକୃତ କରାଯାଇଛି । ଏସବୁ ବିଭାଗର ସଚିବମାନେ ନିଜର ପ୍ରମୁଖ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଅଫିସରେ ନିଶ୍ଚିତ ଭାବେ ଉପସ୍ଥିତ ରହିବେ ।ତେବେ କେଉଁ ଅଫିସର ଓ କର୍ମଚାରୀ ଅଫିସ ଆସିବେ ତାହା ସମ୍ପୃକ୍ତ ବିଭାଗର ସଚିବ ସ୍ଥିର କରିବେ । ସେହିପରି ଏସବୁ ବିଭାଗ ଅଧୀନରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକ ଯଥାସମ୍ଭବ କମ୍ ସଂଖ୍ୟକ କର୍ମଚାରୀରେ ପରିଚାଳିତ ହେବ ।
ଏହା ବ୍ୟତୀତ ଅନ୍ୟ ୨୫ଟି ବିଭାଗର କର୍ମଚାରୀ ଓ ଅଫିସରମାନଙ୍କୁ ଅଫିସ ନଆସିବା ପାଇଁ କୁହାଯାଇଛି ।ଏହି ବିଭାଗ ଗୁଡିକ ହେଲା କୃଷି,ସମବାୟ, ଅବକାରୀ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ ଓ ଇଏସଆଇ, ଏମଏସଏମଇ, ସଂସ୍କୃତି , ପର୍ଯ୍ୟଟନ, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଦକ୍ଷତାବିକାଶ ଓ ବୈଷିୟକ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଇସ୍ପାତ ଓ ଖଣି, ଜଳସମ୍ପଦ ବିଭାଗ ।