ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କରୋନାର ଦୃଢ଼ ମୁକାବିଲା ନିମନ୍ତେ ଯେକୌଣସି ପଦକ୍ଷେପ ଗ୍ରହଣ କରିବାରେ ପ୍ରଶାସନ ପଛଘୁଂଚା ଦେବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରକାଶ କରିଛନ୍ତି । ଭିଡିଓ କନଫରେନ୍ସୀ ମାଧ୍ୟମରେ କରୋନାର ଉପଯୁକ୍ତ ମୁକାବିଲା କରିବାକୁ ଜିଲ୍ଲା ପରିଷଦର ବୈଠକ ଆହୁତ ହୋଇଥିଲା । ଜିଲ୍ଲାକୁ ବିଦେଶରୁ ଫେରୁଥିବା କୌଣସି ବ୍ୟକ୍ତିଙ୍କୁ ତୁରନ୍ତ ନାମ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଅାଯାଇଛି । ଏହାକୁ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଅନ୍ୟାନ୍ୟ ରାଜ୍ୟରୁ ଗଞ୍ଜାମକୁ ଫେରୁଥିବା ବ୍ୟକ୍ତି ପରିବାର ମଧ୍ୟରେ ଆବଦ୍ଧ ରହିବା ସହିତ ଅନ୍ୟ ସଦସ୍ୟ ମାନଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ । କୌଣସି ବ୍ୟକ୍ତିକୁ ଥଣ୍ଡା, କାଶ, କିମ୍ବା ଜ୍ବର ହେଲେ ତାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯିବା ପାଇଁ କୁହାଯାଇଛି ।
ସେହିପରି ସହରାଞ୍ଚଳ ବ୍ୟକ୍ତି ବିଶେଷ ଯେଉଁ ମାନଙ୍କର ନିିଃସଙ୍ଗ ଆବଦ୍ଧ ମଧ୍ୟରେ ରହିବା ପାଇଁ ଘରେ ସୁବିଧା ନାହିଁ ସେମାନେ ପ୍ରଶାସନର ସହାୟତା ନେଇ କୌଣସି ଲଜିିଂରେ ରହିପାରିବେ । ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ଛୋଟପିଲା ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି । ଅଙ୍ଗନଓ୍ବାଡ଼ି କର୍ମୀ ମାନେ ଘରଘର ବୁଲି ସମ୍ପୃକ୍ତ ଛୋଟ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବେ । ପ୍ରତ୍ୟେକ ଗ୍ରାମରେ ସାମୟିକ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରିବ । ସେଠାରେ ବିଦ୍ୟୁତ, ପାନୀୟଜଳ ଓ ଶୌଚାଳୟ ସୁନିଶ୍ଚିତ କରାଯିବ । ପାଇପ୍ ଜଳ, ନଳକୂପ ଜଳ କିମ୍ବା ଟ୍ୟାଙ୍କର ଦ୍ବାରା ଯୋଗାଇ ଦିଅାଯାଉଥିବା ଜଳକୁ ବ୍ୟବହାର କରିବା ପାଇଁ କୁହାଯାଇଛି । ଗଡିଆ ପୋଖରୀରେ ଗାଧୋଇବାକୁ ମନା କରାଯିବା ସହିତ ଏହାର ଜଳକୁ ଘରୋଇ କାର୍ଯ୍ୟରେ ବ୍ୟବହାର କରିବାକୁ ନିଷେଧ କରାଯାଇଛି । ସାତ ଜଣରୁ ଅଧିକ ଲୋକ ଏକତ୍ରୀତ ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାସ୍ତା କଡରୁ ସମସ୍ତ ଦୋକାନ ବନ୍ଦ କରାଯିବା ସହିତ ପାନ ଗୁଟଖା ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ତାରାତାରିଣୀ ମନ୍ଦିରର ସେବାୟତ ମାନଙ୍କୁ କରୋନା କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ପ୍ରଶଂସା କରିବା ସହିତ କୌଣସି ଧାର୍ମିକ ସ୍ଥାନକୁ ଜନସାଧାରଣଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସଭା, ଶୋଭାଯାତ୍ରା ଏବଂ ଧର୍ମିୟ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । ସରକାରଙ୍କ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦିଅାଯିବ । କରୋନା ପାଇଁ ଡ଼ାକ୍ତରୀ ପରାମର୍ଶ ବ୍ୟତୀତ ଅନ୍ୟ କୌଣସି ଗୁଜବ ପ୍ରରୋଚିତ ବ୍ୟବସ୍ଥାକୁ ଜିଲ୍ଲାପାଳ ବାରଣ କରିଛନ୍ତି । ନିଜେ ନିଜର ଉପଯୁକ୍ତ ସହଯୋଗୀ ଏବଂ ନିଜ ଘର ସର୍ବ ନିରାପଦ ରହଣି ସ୍ଥଳ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍. ଜଗଦୀଶ ପଟ୍ଟନାୟକ ଓ ଅନ୍ୟାନ୍ୟ ପଦସ୍ଥ୍ ଅଧିକାରୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ବ୍ଲକରେ ଜନ ପ୍ରତିନିଧି ଓ ସ୍ଥାନୀୟ ଅଧିକାରୀ ମାନେ ଏହି ଭିଡିଓ କନଫରେନ୍ସୀଂ ମାଧ୍ୟମରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।