-
ଦିନକୁ ୨ଟି ହୋଟେଲ୍ରେ ୨ହଜାର ଓ ୧୫ଶହ ଦେବେ ସବୁ ସେବା ପାଇବେ
ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ବାହାରରୁ ଆସୁଥିବା ନାଗରିକ ପାଇଁ ଘରୋଇ ହୋଟେଲ୍ରେ କ୍ୱାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରିଛି ବ୍ରହ୍ମପୁର ମହାନଗର ନିଗମ । ଘରୋଇ ହୋଟେଲ୍ରେ କ୍ୱାରେଣ୍ଟାଇନ୍ରେ ସେମାନେ ରହିପାରିବେ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ସହରର ୨ଟି ହୋଟେଲ୍ ଯଥା ନନ୍ଦନ ଇଣ୍ଟର ନ୍ୟାସ୍ନାଲ ଓ ନନ୍ଦନ ରେସିଡ୍ୟାନ୍ସରେ ଏହି ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ନରହି ଜନସାଧାରଣ ଦିନକୁ ନନ୍ଦନ ଇଣ୍ଟର ନ୍ୟାସ୍ନାଲରେ ୨ହଜାର ଟଙ୍କା ସହ ଟେକ୍ସ ଓ ନନ୍ଦନ ରେସିଡ୍ୟାନ୍ସରେ ୧୫୦୦ଟଙ୍କା ସହ ଟେକ୍ସ ଦେଇ ସେଠାରେ ରହିପାରିବେ ବୋଲି କମିଶନର କହିଛନ୍ତି । କରୋନା ସଂକ୍ରମଣକୁ ଏଡାଇବା ସହ ନାଗରିକକୁ ଉତ୍ତମ ସେବା ଯୋଗାଇବା ପାଇଁ ଓଡ଼ିଶା ମୁନସିପାଲ କର୍ପୋରେସନ ଆକ୍ଟ ୨୦୦୩ର(ଏକ୍ସଏକେୱାଇଆଇ) ୫୮୩ ଓ ୫୯୯ରେ ଏହି କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଥିବା ଶ୍ରୀ ରାଥୋଡ କହିଛନ୍ତି । ଉକ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଦିନକୁ ସକାଳ ଜଳଖିଆ, ମଧ୍ୟାହ୍ନଭୋଜନ, ରାତ୍ରୀଭୋଜନ ସହ ୨ଟି ପିଇବା ପାଣି ବୋତଲ ଦିଆଯିବ । ୧୪ଦିନ ଯାଏଁ ବ୍ୟକ୍ତିଜଣକ ଉକ୍ତ ହୋଟେଲ୍ର ସେହି ନିର୍ଦ୍ଦିଷ୍ଟ ହୋଟେଲ୍ରେ ରହିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ବ୍ୟକ୍ତି ଓ ହୋଟେଲ୍ କର୍ତ୍ତୃପକ୍ଷ ପାଳନ କରିବେ । ଉକ୍ତ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଫୋନ୍ ମାଧ୍ୟମରେ ନିୟମିତ ଯୋଗାଯୋଗ କରାଯିବ ଓ ଆବଶ୍ୟକ ପଡିଲେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବାକୁ ଯିବେ । କ୍ୱାରେଣ୍ଟାଇନ୍ରେ ରହୁଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ହୋଟେଲ କର୍ତ୍ତୃପକ୍ଷ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗକୁ ଦେବେ ବୋଲି କମିଶନର ସୂଚନା ଦେଇଛନ୍ତି । ସୂଚନାଥାଉକି, ଚିହ୍ନଟ ହୋଇଥିବା ୨ଟି ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ବିଏମ୍ସି ଦ୍ୱାରା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସିଙ୍ଗଲ୍ ରୁମ୍ ସହ ଶୌଚାଳୟ ଥିବା ରୁମ୍ରେ ହିଁ କ୍ୱାରେଣ୍ଟାଇନ୍ ସୁବିଧା ଯୋଗାଇବା, କ’ଣ କରିହେବ ଓ ନାହିଁ ସେନେଇ ହୋଡିଂ ମାରିବା, ବ୍ଲିଚିଂ ଦ୍ୱାରା ସଫେଇ, ଖରାରେ ବ୍ୟବହୃତ କପଡା ସୁଖାଇବା, ୱାସ ବେଶିନ୍, ସଫା ଓ ଅନ୍ୟ ସାମଗ୍ରୀକୁ ନିୟମିତ ସଫା କରିବା, ଦିନରେ ଝରକା ଖୋଲା ରଖିବା, ନଷ୍ଟ ହେଉଥିବା ପ୍ଲେଟରେ ଖାଇବା ଦେବା, ହାଉସ୍ କପିଂ କର୍ମଚାରୀଙ୍କୁ ମାସ୍କ ପିନ୍ଧାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ରୁମ୍କୁ ସଫେଇ କରିବାକୁ ଯିବା, ଡାକ୍ତର ଓ ଅନ୍ୟ ଅଧିକାରୀଙ୍କ ବ୍ୟତୀତ କୌଣସି ବନ୍ଧୁ ତାଙ୍କୁ ଦେଖା ନକରିବା, ସିସିଟିଭିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ସହ ଯେକୌଣସି ସମସ୍ୟା ଥିଲେ ବିଏମ୍ସିକୁ ଅବଗତ କରାଇବାକୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିବା ଶ୍ରୀ ରାଥୋଡ ସୂଚନା ଦେଇଛନ୍ତି ।