-
ଡାକ୍ତରଖାନା ଠାରୁ ଭଲ ଆମ ଘର: ଜିଲ୍ଲାପାଳ
-
ହୋଟେଲ୍, ରେଷ୍ଟୁରାଣ୍ଟ, ବାର୍, ଲଜ୍ ବନ୍ଦ
-
ବସ୍ରେ ନିର୍ଦ୍ଦିଷ୍ଟ ସିଟ୍ରୁ ଅଧା ଯାତ୍ରୀ ଯିବେ
-
ଅଟୋରେ ୨ଜଣ ଯାତ୍ରୀ ଓ ବାଇକ୍ରେ ଜଣେ ଯାତ୍ରା କରିବେ
-
୭ଜଣକୁ ଅଧିକ ଗୋଟିଏ ସ୍ଥାନରେ ରହିବା ଉପରେ ରୋକ୍
ବ୍ରହ୍ମପୁର: ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀ ରୂପ ନେଉଥିବା ବେଳେ ଭାରତ ବର୍ଷରେ ମଧ୍ୟ ଏହି ମହାମାରୀରୁ ମୁକୁଳିବା ପାଇଁ ବହୁବିଧି ସଚେତନତାମୂଳକ ପଦକ୍ଷେପ ନିଆଯାଇଛି । ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜୀବନ କ୍ଷତିକୁ ରୋକିବା ପାଇଁ ନିଆଯାଇଥିବା ସଚେତନତାମୂଳକ ପଦକ୍ଷେପକୁ ଜିଲ୍ଲାସ୍ତରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ମର୍ମରେ କରେନା ଭୁତାଣୁକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନକୁ ଦିନ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଜନଗହଳି ତଥା ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ବସ୍ରେ ଅଧାଯାତ୍ରୀ ଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅଟୋରେ ୨ ଜଣ ଓ ବାଇକରେ କେବଳ ଜଣେ ହିଁ ଯାତ୍ରା କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲାରେ ୧୪୪ ଧାରା ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ୭ରୁ ଅଧିକ ଜଣ ଜମା ହୋଇ ବିଚାର ବିମର୍ସ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନା କରାଯାଇଛି । ଯେପରିକି ଔଷଧ, ଫଳ ଓ ପନିପରିବା, ରାସନ ଦୋକାନକୁ ଛାଡିଦେଲେ ଅନ୍ୟସମସ୍ତ ବ୍ୟବସାୟୀକ ଅନୁଷ୍ଠାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲାର ସମସ୍ତ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ବୈଠକରେ କରୋନା ମୁକାବିଲା ପାଇଁ ବ୍ୟାପକ ଆଲୋଚନା ସହ ସମସ୍ତ ପ୍ରକାର ସଚେତନାମୂଳକ ପ୍ରସ୍ତୁତି ଶେଷ ହୋଇଛି । ଯେକୌଣସି ପରିସ୍ଥିତିରେ ବର୍ତ୍ତମାନ ଡାକ୍ତରଖାନାକୁ ନଯିବା ଭଲ । ଡାକ୍ତରଖାନା ଠାରୁ ସବୁଠୁ ଭଲ ହେଉଛି ଆମ ଘର । ତେଣୁ ଘରେ ରହି କରୋନା ଭାଇରସ୍ ଠାରୁ ଦୂରରେ ରହିବା ଓ ଅନ୍ୟକୁ ଏହି ମନ୍ତବ୍ୟ ଦେବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଏମ୍ସି ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କରୋନା ମହାମାରୀକୁ ନେଇ ଗଞ୍ଜାମ ଜିଲାରେ ଆସନ୍ତା ଦିନମାନଙ୍କରେ କ’ଣ ସବୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯିବ ସେ ବିଷୟରେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ବ୍ରିଜେୟ ରଏ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର.ଜଗଦୀଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ହିତାଧିକାରୀଙ୍କ ଘରକୁ ଘର ବୁଲି ୩ ମାସର ରାସନ ଓ ୪ ମାସର ଭତ୍ତା ବଣ୍ଟନ କରାଯିବ । ସେହିପରି ଅଙ୍ଗନବାଡିରେ ପଢୁଥିବା ପିଲାଙ୍କୁ ମିଳୁଥିବା ଅଣ୍ଡା ଓ ଶୁଖିଲା ଖାଦ୍ୟ ମଧ୍ୟ ଘରକୁ ଘର ବୁଲି ବଣ୍ଟନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ବରିଷ୍ଠ ନାଗରିକ ଓ ୧୦ବର୍ଷରୁ କମ୍ ଶିଶୁଙ୍କୁ ନିଜ ନିଜ ଘରେ ରହିବାକୁ ଜିଲାପାଳ ପରାମର୍ଶ ଦେଇଥିବା ବେଳେ ସମସ୍ତ ରେଷ୍ଟୁରାଣ୍ଟ, ବାର, ହୋଟେଲ, ପାନ ଦେକାନ, ଚା’ ଦୋକାନ, ଗ୍ୟାରେଜ, ଉଠାଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହୋଟେଲ ମାଲିକମାନେ ଲୋକଙ୍କ ଠାରୁ ଅର୍ଡର ନେଇ ଘରକୁ ଖାଦ୍ୟ ପ୍ୟାକେଟ ପଠାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ମାଛ, ମାଂସ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ବିଏମସି ପକ୍ଷରୁ ସେହି ଦୋକାନରେ ପରିଷ୍କର ଓ ପରିଚ୍ଛନ୍ନତା ଯାଞ୍ଚ ପରେ ଯାଇ ବିକ୍ରି ଅନୁମତି ମିଳିବ ବୋଲି କୁହାଯାଇଥିଲା । ଏପଟେ ଲୋକଙ୍କ ଆବଶ୍ୟକତା ଅନୁସାରେ ପ୍ଳମ୍ବର, ମେକାନିକ ଭଳି ବିଭିନ୍ନ ସେବା ଯୋଗାଇବାକୁ ବିଏମ୍ସି ପ୍ରସ୍ତୁତ ରହିଛି ବୋଲି କମିଶନର କହିଥିଲେ । ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ମାନିବା ସହ ପୁଲିସକୁ ସହଯୋଗ କରିବାକୁ ଉଭୟ ଜିଲାର ଏସପି ନିଜ ବକ୍ତବ୍ୟରେ କହିଥିଲେ । ବ୍ରହ୍ମପୁର ସହରରେ ଥିବା ମନ୍ଦିର, ମସଜିଦ ଓ ଚର୍ଚ୍ଚ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ପୋଖରୀରେ ଗାଧୋଇବାକୁ ମନା କରାଯାଇଛି । ତେବେ ରାଜ୍ୟ ବାହାରୁ ଆସୁଥିବା ଲୋକମାନେ ପ୍ରଶାସନ ନିକଟରେ ନିଜର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବାକୁ ଅନୁରୋଧ କରାଯାଇଥିଲା । ଜିଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲାମୁଖ୍ୟଚିକିତ୍ସାଳୟରେ କୋଭିଡ-୧୯ କକ୍ଷ ଖୋଲାଯିବା ସହ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରହିଛି । ଜିଲାରେ ୧୨୨ଟି ରାପିଡ ରେସପୋନ୍ସ ଟିମ୍ ଗଠନ କରାଯାଇଥିବା ବେଳେ କରୋନା ସନ୍ଦିଗ୍ଧଙ୍କୁ ହସପିଟାଲରେ ପହଞ୍ଚାଇବାକୁ ବ୍ରହ୍ମପୁର, ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ, ସୋରଡା, ଖଲ୍ଲିକୋଟ ଓ ଚିକିଟିରେ ୭ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଥିବା କୁହାଯାଇଥିଲା । ସେପଟେ ଗଞ୍ଜାମ ଏସ୍ପି ଶ୍ରୀ ରଏ କହିଛନ୍ତି ଯେ, ସମସ୍ତେ ମିଳିମିଶି ମୁକାବିଲା କରିବା । ସାମୂହିକ ଦାୟୀତ୍ୱକୁ ପାଳନ କରିବା ଆବଶ୍ୟକ ଆଜିର ଦିନରେ ହୋଇପଡିଛି । ଜନଗହଳି ଠାରୁ ଦୂରରେ ରହିବା ସହ ନିଜ ପରିବାର ସହ ରହିଲେ କରୋନା ଭଳି ମହାମାରୀକୁ ଦୂରେଇପାରିବା ବୋଲି ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତିା ସେହିପରି ବ୍ରହ୍ମପୁର ଏସ୍ପି ଶ୍ରୀ ମିଶ୍ର କହିଥିଲେ ଯେ, ଜନସାଧାରଣଙ୍କ ସହଯୋଗ ତଥା କରୋନା ମୁକାବିଲା ପାଇଁ ୨୪ଘଣ୍ଟିଆ ସେବାରେ ପୋଲିସ ବିଭାଗ ରହିଛି । ସମସ୍ତଙ୍କ ସହଯୋଗରେ କରୋନା ଭାଇରସ୍କୁ ମୁକାବିଲା କରିବାକୁ ସେ ସହରବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଯେକୌଣସି ମୂହୁର୍ତ୍ତରେ ପୋଲିସର ୧୦୦ନମ୍ବରକୁ ଡାଇଲକରି କରୋନା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେଇପାରିବେ ବୋଲି ସେ କହିଥିଲେ ।