-
କରୋନା ଭୂତାଣୁର ପ୍ରକୋପ ରୋକି ପାରିଲା ନାହିଁ ଲୋକଙ୍କ ଉତ୍ସାହ
ନୂଆଦିଲ୍ଲୀ- ନିର୍ଭୟାର ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳିବା ମାତ୍ରେ ତିହାର ଜେଲ୍ ବାହାରେ ଏକ ଭିନ୍ନ ଧରଣର ମାହୋଲ ଦେଖିବାକୁ ମିଳିଛି । ଏହି ସମୟରେ ଜେଲ୍ ବାହାରେ ଏକଜୁଟ୍ ସ୍ଥାନୀୟ ଲୋକ ନିର୍ଭୟା ଜିନ୍ଦାବାଦର ନାରା ଲଗାଇଥିଲେ । ଏହା ସହିତ ସେମାନେ ଦୋଷୀଙ୍କ ପାଇଁ କେସ୍ ଲଢୁଥିବା ଓକିଲ ଏପି ସିଂହଙ୍କ ଉପରେ ଖୁବ୍ ବର୍ଷି ଥିଲେ । ଫାଶୀ ଖବର ମିଳିବା ମାତ୍ରେ ତିହାର ଜେଲର ଗେଟ୍ ନମ୍ବର ୩ ବାହାରେ ଏକତ୍ରିତ ଭିଡ ‘ନିର୍ଭୟା ଜିନ୍ଦାବାଦ୍, ଏପି ସିଂହ ମୁର୍ଦ୍ଦାବାଦ ନାରା’ ଦେଇଥିଲ ।
ଏହି ସମୟରେ ଲୋକେ ଉତ୍ସବ ପାଳନ ଆରମ୍ଭ କରିଥିଲେ ଏବଂ ମିଠା ବାଂଟି ନିଜର ଖୁସି ବ୍ୟକ୍ତ କରିଥିଲେ । ସଂପ୍ରତି ସମଗ୍ର ଦୁନିଆ ସହିତ ପୂରା ଦେଶରେ କାୟା ବିସ୍ତାର କରିଥିବା କରୋନା ଭୂତାଣୁର ପ୍ରକୋପକୁ ଭ୍ରୁକ୍ଷେପ ନକରି ନିର୍ଭୟା ସହିତ ନିଜର ଏକଜୁଟତା ବ୍ୟକ୍ତ କରି ଜେଲ୍ ପରିସର ବାହାରେ ବଡ ସଂଖ୍ୟାରେ ଲୋକ ଏକଜୁଟ୍ ହୋଇଥିଲେ ।
ଶେଷରେ ୨୬୫୦ ଦିନ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ
ଦିଲ୍ଲୀର ହରି ନଗର ବାସିନ୍ଦା ରବୀନ୍ଦ୍ର ସିଂହ ବକ୍ସି କହିଛନ୍ତି ଯେ, କରୋନା ଭୂତାଣୁର ପ୍ରକୋପକୁ ଦେଖି ମୋର ପତ୍ନୀ ମୋତେ ବାହାରକୁ ନଯିବାକୁ ପରାମର୍ଶ ଦେଇଥିଲେ, ମାତ୍ର ମୁଁ ନିଜର ଖୁସିକୁ ରୋକି ପାରିନଥିଲି କାରଣ ମୋର ଭଉଣୀକୁ ନ୍ୟାୟ ମିଳୁଛି । କରୋନା ଭୂତାଣୁର ପ୍ରତିରୋଧ ଲାଗି ଦିଲ୍ଲୀ ସରକାର ଗୋଟିଏ ସ୍ଥାନରେ ୨୦ରୁ ଅଧିକ ଲୋକଙ୍କ ଏକତ୍ର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ପରେ ମଧ୍ୟ ତିହାର ଜେଲ୍ ବାହାରେ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହୋଇ ନିର୍ଭୟା ପ୍ରତି ନିଜର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କୌଣସି ଅପ୍ରୀତିକର ଘଟଣା ନଘଟେ ଏଥିପାଇଁ ସୁରକ୍ଷାକର୍ମୀ ଜେଲ୍ ପରିସର ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ ।
ଉଲ୍ଲେଖନୀୟ ସାତ ବର୍ଷ ତିନି ମାସ ପରେ ଦିଲ୍ଲୀର ଏକ ଚଳନ୍ତା ବସରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀ(ନିର୍ଭୟା) ସହିତ ଗଣ ଦୁଷ୍କର୍ମ କରିଥିବା ଚାରି ଦୋଷୀଙ୍କୁ ଶେଷରେ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଫାଶୀ ମିଳିଛି । ଏହି ଲୋମହର୍ଷଣକାରୀ ଗଣ ବଳାତ୍କାର ମାମଲାରେ ସାମିଲ ଛଅ ଅପରାଧୀ ଛାତ୍ରୀ ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ଚଳନ୍ତା ବସରୁ ରାସ୍ତା କଡକୁ ଫିଙ୍ଗି ଚାଲି ଯାଇଥିଲେ । ପରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ ଦେହତ୍ୟାଗ କରିଥିଲେ । ମାମଲାରେ ଜଣେ ଦୋଷୀ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଏକ ଦୋଷୀ ନାବାଳକ ହୋଇଥିବା କାରଣରୁ ତିନି ବର୍ଷ ସୁଧାର ଗୃହରେ ରହି ମୁକ୍ତ ହୋଇ ସାରିଛି । ଅନ୍ୟ ଚାରି ଦୋଷୀଙ୍କୁ ଆଜି ଫାଶୀ ଖୁଂଟରେ ଝୁଲା ଯାଇଛି ।