ନୂଆଦିଲ୍ଲୀ– ସାତ ବର୍ଷ ପୂର୍ବେ ସମଗ୍ର ଦେଶକୁ ମର୍ମାହତ କରିଥିବା ନିର୍ଭୟା ଘଟଣାର ଚାରି ଦୋଷୀଙ୍କୁ ଶେଷରେ ଦଣ୍ଡ ମିଳିଛି । ଦୀର୍ଘ ସାତ ବର୍ଷ ତିନି ମଙ୍କସର ପ୍ରତୀକ୍ଷା ପରେ ନିର୍ଭୟା ଓ ତାଙ୍କ ପରିଜନଙ୍କୁ ନ୍ୟାୟ ମିଳିଛି । ଫାଶୀ ଦେବାର ଶେଷ ମୁହୂର୍ତ ପର୍ଯ୍ୟନ୍ତ ଜାରି ଆଇନର ଜଟିଳତା ପରେ ବି ନିର୍ଭୟାର ଚାରି ଦୋଷୀ ଅକ୍ଷୟ, ପବନ, ମୁକେଶ ଓ ବିନୟକୁ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି ।
ଏହି ସାତ ବର୍ଷର ସଂଘର୍ଷରେ ନିର୍ଭୟାଙ୍କ ମାତା-ପିତା କେବେ ହେଲେ ହାର ମାନିନଥିଲେ । ନିମ୍ନ ଅଦାଲତରୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ନ୍ୟାୟ ପାଇବାକୁ ଲଢେଇ ଜାରି ରଖିିଥିଲେ । ଶେଷରେ ଆଜି ଚାରି ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇ ନିଜର ଝିଅକୁ ନ୍ୟାୟ ଦେଇକି ରହିଲେ ମା ଆଶା ଦେବୀ । ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ଦିଆଯିବାର ପ୍ରାୟ ଦୁଇ ଘଂଟା ପୂର୍ବରୁ ଜେଲ୍ ନିୟମାବଳୀ ପାଳନ କରାଯାଇଥିଲା । ଦୈନନ୍ଦୀନ କାମ ପରେ ସେମାନଙ୍କୁ ସ୍ନାନ କରାଯିବା ପରେ ସେମାନଙ୍କର ଇଚ୍ଛା ଅନୁସାରେ ଚା ସହିତ ଖାଇବାକୁ ଜଳଖିଆ ଦିଆଯାଇଥିଲା । ଏହା ପରେ ସେଲରୁ ବାହାର କରାଯାଇ ଫାଶୀ ଗୃହ ପର୍ଯ୍ୟନ୍ତ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ତିହାର ଜେଲର ଅଧିକାରୀ ଫାଶୀ ଗୃହର ନୀରିକ୍ଷଣ କରିଥିଲେ । ଏହା ପରେ ସମସ୍ତ ଅପରାଧୀଙ୍କୁ ମୁହଁରେ କପଡା ଢାଙ୍କିବା ସହ ପଛ ପଟୁ ଦୁଇ ହାତ ବନ୍ଧା ଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟରେ ଚାରି ଦୋଷୀଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଥିଲା।
ଫାଶୀର ସମୟ ସକାଳ ୫ଟା ୩୦ ପୂରା ହେବା ମାତ୍ରେ ତିହାର ଜେଲ୍ ବାହାରେ ଉପସ୍ଥିତ ଭିଡ ତାଳି ବଜାଇ, ବନ୍ଦେ ମା ତରମ ନାରା ଲଗାଇଥିଲେ । ଏହା ସହିତ ମିଠା ବାଂଟି ନିଜର ଖୁସି ବ୍ୟକ୍ତ କରିଥିଲେ ।