ପୁରୀ- କରୋନା କଟକଣା ପାଇଁ ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି ଭକ୍ତ । ଜିଲ୍ଲା ପ୍ରଶାସନର ଏହି କଟକଣା ପରେ ଆଜି ଠାରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।
ଜିଲ୍ଲା ପ୍ରଶାସନର ଏଭଳି କଡ଼ା ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିର ଚାରି ଦ୍ୱାରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ପୋଲିସ ଛାଡୁନାହିଁ । କେବଳ ପାଳିଆ ସେବାୟତ ମାନେ ଶ୍ରୀ ମନ୍ଦିର ମଧ୍ୟକୁ ପ୍ରବେଶ କରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀ ଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଯଥାରୀତି ସମାପନ ହୋଇଛି । ମଙ୍ଗଳ ଆଳତୀ, ମଇଲମ, ଅବକାଶ, ଦ୍ୱାରପୂଜା, ସୂର୍ଯ୍ୟପୂଜା, ସକାଳ ଧୂପ ଅନୁଷ୍ଠିତ ହୋଇଯାଇଛି । ହେଲେ ପ୍ରଶାସନର କଟକଣା ତଥା ଭକ୍ତଙ୍କ ପ୍ରବେଶ ନିଷେଧ ଯୋଗୁଁ ମନ୍ଦିର ଚାରିପାଖ ଖାଁ ଖାଁ ପରିଲକ୍ଷିତ ହୋଇଛି ।
ପ୍ରକାଶ ଥାଉ କି, ଗତକାଲି ଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଏକ ଭିଡ଼ିଓ ଜାରୀ କରାଯାଇଥିଲା । ଏହି ଭିଡ଼ିଓରେ ସେ କହିଥିଲେ ଯେ, କରୋନା ପାଇଁ ଉପଯୁକ୍ତ ଦୂରତା ରଖିବା, ସେବାୟତଙ୍କ ଠାରୁ ସମଦୂରତା ରଖି ଦର୍ଶନ କରାଇବା ବ୍ୟବସ୍ଥା କଠିନ ହୋଇପଡିଥିଲା । ସମସ୍ତଙ୍କ ସହ ପରାମର୍ଶ କରି ଓ ଲକ୍ଷ ଲକ୍ଷ ଭକ୍ତଙ୍କ ଜୀବନ ସୁରକ୍ଷା ପାଇଁ ଏଭଳି ନିଷ୍ପତି ନିଆଗଲା । ଏହି ରୋଗ କିପରି କମ୍ୟୁନିଟିରେ ସଂକ୍ରମିତ ନହେବ ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ତଦନୁଯାୟୀ, ଆଗାମୀ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । କରୋନା ମହମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ଭକ୍ତମାନେ ସହଯୋଗ କରିବାକୁ ଜିଲ୍ଲାପାଳ ବଲବନ୍ତ ସିଂ ନିବେଦନ କରିଥିଲେ ।