କଟକ– କଟକ ଜିଲ୍ଲା ଚୌଦ୍ୱାର କାଜଲକଣା ନିକଟରୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର କାଠ କୋଇଲା ସହିତ ଏକ ପିକଅପ୍ ଭ୍ୟାନକୁ ଜବତ କରିଛି ବନ ବିଭାଗ ।
ଆଠଗଡ଼ ବନଖଣ୍ଡ ଖୁଂଟୁଣୀ ରେଞ୍ଜରୁ ଦୀର୍ଘ ଦିନ ହେବ ବେଆଇନ ଭାବେ କାଠ କୋଇଲା ଚାଲାଣ କରାଯାଉଥିଲା । ଏନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାପରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗତକାଲି ବିଳମ୍ବିତ ରାତିରେ ନୂଆପାଟଣା କଫିବାର୍ ନିକଟରେ ଜଗି ରହିଥିଲା । ଏହି ସମୟରେ ଖୁଂଟୁଣୀରୁ ଭୁବନେଶ୍ୱର ବାଳକାଟି ଯାଉଥିବା ଏହି ପିକଅପ୍ ଭ୍ୟାନକୁ ଅଟକାଇ ଯାଂଚ୍ ବେଳେ ସେଥିରେ ୪୫ ବସ୍ତାରୁ ଅଧିକ କାଠ କୋଇଲା ଥିବା ଜଣାପଡିଥିଲା । କୋଇଲା ସମେତ ଏହି ଗାଡ଼ିକୁ ବନ ବିଭାଗ ଜବତ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।