ଭୁବନେଶ୍ୱର – ୟେସ୍ ବ୍ୟାଙ୍କ୍ ରୁ ପ୍ରଭୂ ଜଗନ୍ନାଥଙ୍କ ଜମା ଟଙ୍କା ଫେରିବା ପରେ ଉକ୍ତ ଅର୍ଥକୁ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ରଖାଯିବ । ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ୟୁନିୟନ୍ ବ୍ୟାଙ୍କ୍ରେ ଜଗନ୍ନାଥଙ୍କ ଟଙ୍କା ୩ ବର୍ଷ ପାଇଁ ଦୀର୍ଘ ମିଆଦୀ ସ୍ଥାୟୀ ଜମା ରଖାଯିବ ।
ସୂଚନା ଅନୁଯାୟୀ ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଶୁକ୍ରବାର ଏହା ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ ବ୍ୟାଙ୍କ ରହିଥିଲା । ଏଥିରେ ୫. ୪୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ ବ୍ୟାଙ୍କ ଓ ୫ ପ୍ରତିଶତ ସହ ତୃତୀୟରେ କାନାଡା ବ୍ୟାଙ୍କ ରହିଥିଲେ । ସେମାନେ ୫ .୭୫ ପ୍ରତିଶତ ସୁଧ ଦେବାକୁ ଅରାଜି ହେବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବାକୁ ନିଷ୍ପତି ହୋଇଛି ।
ଉଲ୍ଲେଖଯୋଗ୍ୟ ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଏସବିଆଇ ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଥିଲା ।