-
ବିକ୍ରି ଠପ୍, ସମାଧାନ ନହେଲେ ଆତ୍ମହୁତି ଚେତାବନୀ
ବ୍ରହ୍ମପୁର : ବାର୍ଡ ଫ୍ଲୁ, କରୋନା ସଂକ୍ରମଣ ପ୍ରଚାରର ନକରାତ୍ମକ ପ୍ରଭାବ କୁକ୍କୁଟ ଜାତୀୟ ଚାଷ ଓ ବ୍ୟବସାୟକୁ ସଙ୍କଟ ଭିତରକୁ ଠେଲିଦେଇଛି । କୁକୁଡା ଚାଷୀ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ବହୁ କଷ୍ଟେମଷ୍ଟେ ଏହି ବିପର୍ଯ୍ୟୟରୁ ମୁକୁଳି ଧିରେଧିରେ ସ୍ଥିତି ତଥା ଅଣ୍ଟାକୁ ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ କରୋନା ଭୂତାଣୁ ଜନିତ ସଙ୍କଟ ଏହି ଚାଷୀ ଓ ବ୍ୟବସାୟୀଙ୍କୁ ପୁଣିଥରେ ଅନ୍ଧକାରକୁ ଟାଣିନେଇଛି । ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟରେ ମର୍ମାହତ ଧାନ ଚାଷୀ ଯେପରି ଆତ୍ମହତ୍ୟା କରୁଛନ୍ତି ରାଜ୍ୟ ସରକାର କୁକୁଡା ଚାଷୀଙ୍କ ଉଦ୍ଧାର ଦିଗରେ ତ୍ୱରିତ ପଦକ୍ଷେପ ନନେଲେ ଏହି ଚାଷୀ ଯେ ଆତ୍ମହତ୍ୟା ନ କରିବେ ବୋଲି କହିବା ଅନୁପଯୁକ୍ତ କୁହାଯାଇପାରେ । କାରଣ କୁକୁଡା ଚାଷରେ ମଧ୍ୟ ଜଣେ ଚାଷୀ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥାଏ । ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି ଚାଷୀ ଲାଭବାନ ହେବା ତ ଦୂରରକଥା ତିଷ୍ଠିରହିବା ମୁସ୍କିଲ ହୋଇପଡିବ ।
ରାଜ୍ୟରେ ବାର୍ଷିକ କୁକୁଡା ଓ ଅଣ୍ଡା କାରବାର ୧୦୦୦ କୋଟିରୁ ଅଧିକ । ତଥାପି କୁକୁଡା ଅଣ୍ଡା ଉତ୍ପାଦନରେ ଓଡ଼ିଶା ନିଅଣ୍ଟିଆ ରାଜ୍ୟ । ପଡୋଶୀ ରାଜ୍ୟରୁ ନିଅଣ୍ଟ ଭାଗ ଅଣାଯାଇ ରାଜ୍ୟର ଚାହିଦା ପୂରଣ କରାଯାଉଛି । ରାଜ୍ୟରେ ଅଣ୍ଡା ଆବଶ୍ୟକତାର ବଡ ଭାଗ ଗଞ୍ଜାମ ଜିଲ୍ଲାରୁ ଉତ୍ପାଦନ ହେଉଛି । ସେଥିପାଇଁ ରାଜ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ହେଲେ ଏବେ ପରିସ୍ଥିତି ବଦଳିଯାଇଛି । ଅଣ୍ଡାଦିଆ କୁକୁଡା(ଲେୟର କୁକୁଡା) ପାଳନ କରୁଥିବା ଚାଷୀ ଆଖିରୁ ନିଦ ହଜିଯାଇଛି । ବାର୍ଡ ଫ୍ଲୁ ଓ କରୋନା ସଂକ୍ରମଣ ବୃଦ୍ଧିପାଇବା ପରେ କୁକୁଡା ମାଂସ ଓ ଅଣ୍ଡା ଖାଇବାକୁ ଲୋକ ଭୟ କରୁଛନ୍ତି । ଗଞ୍ଜାମ ଜିଲ୍ଲାରୁ ଦୈନିକ ଉତ୍ପାଦନ ହେଉଥିବା ୪୫ ଲକ୍ଷ ଅଣ୍ଡା ବିକ୍ରି କରିବା ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି । ଅନ୍ୟପକ୍ଷରେ ଅଣ୍ଡା ଗଚ୍ଛିତ ରଖିବା ପାଇଁ ରାଜ୍ୟରେ କୌଣସି ଶୀତଳ ଭଣ୍ଡାର ବ୍ୟବସ୍ଥା ନ ଥିବାରୁ ଗଚ୍ଛିତ ଥିବା ପ୍ରାୟ ୯୦ ଲକ୍ଷରୁ ଅଧିକ ଅଣ୍ଡା ନଷ୍ଟହେବାକୁ ବସିଲାଣି ।
ହସ୍ତଗତ ହୋଇଥିବା ସୂଚନା ମୁତାବକ, ଦୈନିକ ରାଜ୍ୟ ପାଇଁ ୯୦ ଲକ୍ଷ ଅଣ୍ଡା ଆବଶ୍ୟକ ହେଉଛି । ଓଡ଼ିଶା ଚାଷୀ ମାତ୍ର ୭୫ ଲକ୍ଷ ଅଣ୍ଡା ଉତ୍ପାଦନ କରିବାରେ ସକ୍ଷମ ହେଉଛନ୍ତି । ସେଥିରୁ କେବଳ ଗଞ୍ଜାମ ଜିଲ୍ଲାର ୫୨ଟି ଫାର୍ମରେ ଦୈନିକ ୪୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ନିଅଣ୍ଟ ଅଣ୍ଡା ପରିମାଣ ପଡୋଣୀ ରାଜ୍ୟରୁ ଆମଦାନୀ କରାଯାଇ ଚାହିଦା ପୂରଣ କରାଯାଉଛି । ବର୍ତ୍ତମାନ କରୋନା ପ୍ରଭାବରେ ସ୍କୁଲ ବନ୍ଦପଡିଛି, ଫାଷ୍ଟଫୁଡ୍ ଦୋକାନକୁ ଲୋକ ଯାଉନାହାନ୍ତି, ସର୍ବୋପରି ଲୋକ ଅଣ୍ଡାରୁ ମୁହଁ ଫେରାଇ ନେଇଛନ୍ତି । ଯାହାଦ୍ୱାରା ଉତ୍ପାଦିତ ଅଣ୍ଡା ଗଚ୍ଛିତ ରହିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ଏବେ ଚାଷୀ କୁକୁଡା ଅଣ୍ଡା ୧ ଟଙ୍କାରେ ଯୋଗାଇ ଦେଉଥିଲେ ମଧ୍ୟ ଲୋକ କିଣିବାକୁ ପ୍ରସ୍ତୁତ ନୁହଁନ୍ତି । ଅନ୍ୟପକ୍ଷରେ ଅଣ୍ଡା ଉପଯୁକ୍ତ ଅବସ୍ଥାରେ ଗଚ୍ଛିତ ରହିବାର ଅବଧି ଋତୁ ଅନୁସାରେ ବଦଳୁଛି । ଶୀତଋତୁରେ ଏହା ୧୫ ଦିନ ଗଚ୍ଛିତ ରହିପାରୁଥିବା ବେଳେ ଗ୍ରୀଷ୍ମଋତୁରେ ୭ରୁ ୮ ଦିନ ମଧ୍ୟ ଅଣ୍ଡା ନଷ୍ଟ ହୋଇଯାଉଛି । ସେଥିପାଇଁ ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ରାଜ୍ୟ କୁକୁଡା ଚାଷୀ ସଂଘ ସମ୍ପାଦ ଏଲ୍.ସରୋଜ ପାତ୍ର କହିଛନ୍ତି । ଏପରିହେଲେ କୁକୁଡା ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଓ ଏହି କାମରେ ନିୟୋଜିତ ପ୍ରାୟ ୫୦ ହଜାର କର୍ମଚାରୀ ଜୀବୀକା ହରାଇବା ସୁନିଶ୍ଚିତ ।
ଏଲ.ସରୋଜ ପାତ୍ର(ରାଜ୍ୟ ଲେୟର ଫାର୍ମରସ୍ ଆସୋସିଏଶନ୍ର ରାଜ୍ୟ ସମ୍ପାଦକ): ନ୍ୟାସନାଲ ଏଗ୍ କେଅଡିନେସନ୍ କମିଟି(ଏନ୍ଇସିସି) ନାମକ ଏକ ବେସରକାରୀ ସଂସ୍ଥା ଅଣ୍ଡା ମୂଲ୍ୟ ନିର୍ଦ୍ଧାଣ କରୁଛି । ସେମାନଙ୍କ ନିକଟରେ ନିଜସ୍ୱ ଖାଦ୍ୟ ପ୍ରସ୍ତୁତ ଉପକରଣ, ଅଣ୍ଡା ଗଚ୍ଛିତ ପାଇଁ ଶୀତଳଭଣ୍ଡାର, ଚିକସ୍(କୁକୁଡା ଛୁଆ) ପ୍ରସ୍ତୁତ ଯନ୍ତ୍ର ଉପଲବ୍ଧ ଥିବାରୁ କମ୍ ଅର୍ଥ ବ୍ୟୟରେ ସେମାନେ ଅଣ୍ଡା ଉତ୍ପାଦନ କରିପାରୁଛନ୍ତି । ସେହି ତୁଳନାରେ ମୂଲ୍ୟ ନିର୍ଦ୍ଧାରଣ କରାଯାଉଥିବାରୁ କ୍ଷୁଦ୍ର ଚାଷୀ ଅଣ୍ଡା ଉତ୍ପାଦନ ମୂଲ୍ୟ ମଧ୍ୟ ପାଉନାହାନ୍ତି । ତେଣୁ ସରକାର ଏନ୍ଇସିସି ଉପରେ କଟକଣା ଜାରି କରିବା ସହ ଚାଷୀଙ୍କ ସହ ଆଲୋଚନା କରି ଅଣ୍ଡା ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ସଭାପତି ଶ୍ରୀ ପାତ୍ର ଦାବି କହିଛନ୍ତି ।
ଶୁଭେନ୍ଦୁ ସାହୁ(ଗଞ୍ଜାମ ଲେୟର ଫାର୍ମରସ୍ ଆସୋସିଏଶନ୍ ସଭାପତି): କରୋନା ସଂକ୍ରମଣ ପାଇଁ ଲୋକ ଭୟଭୀତ । କୁକୁଡା ମାଂସ କିମ୍ବା ଅଣ୍ଡା ଖାଇବା ଦ୍ୱାରା ଏହି ଭୂତାଣୁ ସଂକ୍ରମଣ ହେବାର କୌଣସି ଆଶଙ୍କା ନାହିଁ । ଏପରିକି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହା ସ୍ପଷ୍ଟ କରିସାରିଲେଣି । ତଥାପି ଲୋକ ଭୟଭୀତ ହୋଇ ମାଂସ ଓ ଅଣ୍ଡାରୁ ମୁହଁ ଫେରାଇ ନେଇଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କୁକୁଡା ମାଂସ ଦୋକାନ ବନ୍ଦ କରାଯାଇଥିବାରୁ ସେଠାରେ ଅଣ୍ଡା ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଅଣ୍ଡା ବିକ୍ରି ପାଇଁ ଅନୁମତି ଦେବା ସହ ପ୍ରଶାସନିକ ସ୍ତରରେ ଏହି ଚାଷୀଙ୍କୁ କ୍ଷତିରୁ ମୁକୁଳାଇବା ପାଇଁ ବନ୍ଦୋବସ୍ତ କରିବାକୁ ଦାବି କରିଛନ୍ତି । ନଚେତ୍ ଚାଷୀ ହତୋତ୍ସାହିତ ହୋଇପଡିବେ ଏବଂ ଆର୍ôଥକ ମେରୁଦଣ୍ଡ ଭାଙ୍ଗିଯିବ ।