ନୂଆଦିଲ୍ଲୀ– କେନ୍ଦ୍ର ସରକାରଙ୍କ ତତ୍ପରତା ଓ ଉଚିତ୍ ପଦକ୍ଷେପ ଯୋଗୁଁ ଦେଶରେ କୋଭିଡ଼ -୧୯ ରୁ ଗୋଷ୍ଠୀଗତ ସଂକ୍ରମଣ ସଂକ୍ରାନ୍ତୀୟ ଗୋଟିଏ ହେଲେ ମାମଲା ବର୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ବର୍ତମାନ ସୁଦ୍ଧା ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ମିଳିଛି, ସେମାନେ ବିଦେଶ ଯାତ୍ରା ସହିତ ଜଡ଼ିତ ଥିବା ଜଣାପଡିଛି ।
ଭାରତୀୟ ବେଜ୍ଞାନିକ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଗୁରୁବାର କୁହାଯାଇଛି ଯେ, ଦେଶବାସୀଙ୍କୁ କରୋନା ଭାଇରସ୍ ପାଇଁ ଭୟ କରିବାର କୌଣସି କାରଣ ନାହିଁ । ବର୍ତମାନ ଏହା ଦ୍ୱିତୀୟ ପର୍ଯ୍ୟାୟରେ ରହିଛି ଏବଂ ନିୟନ୍ତ୍ରଣ ମଧ୍ୟରେ ରହିଛି । ଯଦି ଗୋଷ୍ଠୀଗତ ସଂକ୍ରମଣ ହୋଇଥାନ୍ତା, ତେବେ ସ୍ଥିତି ଚିନ୍ତାଜନକ ହୋଇଥାନ୍ତା । ହେଲେ ସେମିତି କିଛି ସ୍ଥିତି ଉପୁଜିନି । ଦେଶରେ ଗୋଷ୍ଠୀଗତ ସଂକ୍ରମଣର ସ୍ଥିତି ଯାଂଚ୍ କରିବା ପାଇଁ ବିଭିନ୍ନ ରାଜ୍ୟର ପୃଥକ୍ ପୃଥକ୍ ଅଂଚଳରେ ଜ୍ୱର ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ୮୨୬ ଜଣଙ୍କ ରକ୍ତନମୂନା ପରୀକ୍ଷା ପାଇଁ ନିଆଯାଇଥିଲା, ହେଲେ ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ଯେଉଁଥିରୁ କରୋନା ସଂକ୍ରମଣର ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଇସିଏମଆର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସାରା ଦେଶରେ ର୍ୟାଣ୍ଡମ୍ ସାମ୍ପଲ୍ ସଂଗ୍ରହ କରିବା ସହ ଏହାର ଯାଂଚ୍ କରୁଛି । ବିଶେଷ କରି କାଶ, ସର୍ଦ୍ଦି ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ପୀଡ଼ିତ ମାନଙ୍କ ଏହି ରକ୍ତ ନମୂନା ପରୀକ୍ଷା କରାଯାଇଛି । ଖୁବଶୀଘ୍ର ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏନସିଆର ଏବଂ ଭୁବନେଶ୍ୱରରେ ଦୁଇଟି ଅତ୍ୟାଧୁନିକ ଲ୍ୟାବ୍ ପ୍ରସ୍ତୁତ କରାଯାଉଛି । ଯେଉଁ ଠାରେ ଗୋଟିଏ ଦିନରେ ୧୪୦୦ ରକ୍ତ ନମୂନା ଯାଂଚ୍ କରାଯାଇପାରିବ ।