ନୂଆଦିଲ୍ଲୀ– କେନ୍ଦ୍ର ସରକାର ଜୋର୍ ଦେଇଛନ୍ତି ଯେ, ଗତବର୍ଷ ଦେଶରେ ନୂତନ ମୋଟର ଯାନ ଅଧିନିୟମ ଲାଗୁ କରାଯିବା ପରେ ସଡ଼କ ଦୁର୍ଘଟଣାଜନିତ ସଂଖ୍ୟା ହ୍ରାସ ପାଇଛି । ଲୋକସଭାରେ ପ୍ରଶ୍ନକାଳ ସମୟରେ ଗୁରୁବାର ପଚରାଯାଇଥିବା ଏକ ପ୍ରଶ୍ନର ଉତରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ ଯେ, ଦେଶରେ ନୂତନ ମୋଟର ଯାନ ଅଧିନିୟମ ଲାଗୁ ହୋଇଛି । ଫଳରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି । ଯାହାକି ଲୋକଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଛି । ସେ ସଦସ୍ୟ ମାନଙ୍କୁ ଏନେଇ ସୂଚନା ଦେଇ କହିଥିଲେ ଯେ, ମୋଟର ଯାନ ଅଧିନିୟମ -୨୦୧୯ ର ବହୁତ ଭଲ ପରିଣାମ ସାମ୍ନାକୁ ଆସିଛି । ଏହି ନିୟମ ଲାଗୁ ହେବା ପରେ ଭିଭିନ୍ନ ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ।
ଗଡ଼କରୀ ଏନେଇ ଅଧିକ ସୂଚନା ଦେଇ କହିଥିଲେ ଯେ, ନୂତନ ମୋଟରଯାନ ଅଧିନିୟମ ଲାଗୁ ହେବା ପରେ ଉତରପ୍ରଦେଶରେ ୧୩, ଗୁଜୁରାଟରେ ୧୪, ଜମ୍ମୁ-କାଶ୍ମିର ୧୫, ଆନ୍ଧ୍ରପ୍ରଦେଶରେ ୭, ଚଣ୍ଡୀଗଡ଼ରେ ୧୫, ମଣିପୁରରେ ୪ ଏବଂ ଦିଲ୍ଲୀ ଭଳି ପ୍ରମୁଖ ରାଜ୍ୟରେ ସଡ଼କ ଦୁର୍ଘଟଣା ୨ ପ୍ରତିଶତ ହ୍ରାସ ପାଇଛି । ଆହୁରି ମଧ୍ୟ ସେ କହିଥିଲେ ଯେ, ତାଙ୍କ ମନ୍ତ୍ରଣାଳୟ ଦେଶର ବିଭିନ୍ନ ରାଜପଥରେ ମୃତ୍ୟୁର କାରଣ ସାଜିଥିବା ବ୍ଲାକ୍ ସ୍ପଟ୍ ଗୁଡିକୁ ଚିହ୍ନଟ କରିବା ନିମନ୍ତେ ସେସବୁ ଜିଲ୍ଲାର ସାଂସଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜିଲ୍ଲା ଅଧିକାରୀ ଏହି କିମଟିର ସଚିବ ରହିବେ । ଏହି କମିଟି ଜିଲ୍ଲା ସ୍ତରରେ କାମ କରିବ ଏବଂ ନିଜ ନିଜ ଅଂଚଳରେ ଥିବା ଏଭଳି ବ୍ଲାକ୍ ସ୍ପଟ୍ ଗୁଡିକୁଚିହ୍ନଟ କରିବ ।