ନୂଆଦିଲ୍ଲୀ– ସୁପ୍ରିମକୋର୍ଟ ନିର୍ଭୟା ଗଣ ବଳାତ୍କାରର ଦୋଷୀ ପବନ ଗୁପ୍ତାର ନୂଆ କ୍ୟୁରେଟିଭ୍ ପିଟିସନ ଖାରଜ କରିଛନ୍ତି । କୋର୍ଟ ଆଜି ଯାଚିକା ଉପରେ ଶୁଣାଣି କରି ଖାରଜ କରିଛନ୍ତି । ଦୋଷୀ ପବନ ମାର୍ଚ୍ଚ ୨୦ରେ ହେବାକୁ ଥିବା ଫାଶି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା ।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ପବନର ଆଉ ଏକ କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ । ଆଜି ଏହା ଦ୍ୱିତୀୟ କ୍ୟୁରେଟିଭ ପିଟିସନ ଥିଲା । ଗତ ମାର୍ଚ୍ଚ ୧୬ରେ ସୁପ୍ରିମକୋର୍ଟ ଦୋଷୀ ମୁକେଶର ଯାଚିକାକୁ ମଧ୍ୟ ଖାରଜ କରିଥିଲେ ।
ଗତ ମାର୍ଚ୍ଚ ୧୭ରେ ପଟିଆଲା ହାଉସ୍ କୋର୍ଟ ନିର୍ଭୟା ଗଣବଳାତ୍କାରର ଦୋଷୀ ମୁକେଶର ଯାଚିକାକୁ ମଧ୍ୟ ଖାରଜ କରିଥିଲେ । କୋର୍ଟ ଫାଶି ଦଣ୍ଡ ରଦ୍ଦ କରିବାକୁ ଦୋଷୀ ଦାଖଲ କରିଥିବା ଯାଚିକାକୁ ଖାରଜ କରିଥିଲେ । ମୁକେଶ ଆବେଦନରେ ଦର୍ଶାଇଥିଲା ଯେ, ସେ ଘଟଣା ଦିନ ଦିଲ୍ଲୀରେ ହିଁ ନଥିଲା । ମୁକେଶ ନିମ୍ନ ଅଦାଲତର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।
ଉଲ୍ଲେଖଯୋଗ୍ୟ ତିନି ଦୋଷୀ ପଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୨୦ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବାକୁ ଜାରି କରିଥିବା ମୃତ୍ୟୁ ପରଓ୍ଵାନ(ଡେଥ୍ ଓ୍ଵାରେଣ୍ଟ) ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । ଏହା ଉପରେ କୋର୍ଟ ତିହାର ଜେଲ୍ କର୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ । ଏହି ଯାଚିକା ଉପରେ ପଟିଆଲା ହାଉସ୍ କୋର୍ଟ ଆଜି ୧୨ଟାରେ ଶୁଣାଣି କରିବେ ।