-
ସିଡନୀରୁ ଫେରିଥିଲେ, ଆଇଜିଆଇ ବିମାନ ବନ୍ଦରରେ ଯାଂଚରେ ମିଳିଥିଲା କରୋନା ଲକ୍ଷଣ
ନୂଆଦିଲ୍ଲୀ– କରୋନା ଭୂତାଣୁରେ ସଂକ୍ରମିତ ଜଣେ ରୋଗୀ ଯାଂଚ ରିପୋର୍ଟ ଆସିବା ପୂର୍ବରୁ ଜୀବନ ଯୁଦ୍ଧରେ ହାର ମାନି ନେଇଛନ୍ତି। ବୁଧବାର ରାତି ପ୍ରାୟ ୯ଟାରେ ସଫଦରଜଙ୍ଗ ହସ୍ପିଟାଲର ଏସଏସବି କୋଠାରୁ ଡେଇଁ ରୋଗୀ ଜଣକ ଆତ୍ମହତ୍ୟା କରିଛନ୍ତି । ହସ୍ପିଟାଲର ଏସଏସବି କୋଠାରେ ହିଁ କରୋନାର ସମସ୍ତ ସମ୍ଭାବିତ ରୋଗୀଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଉଛି । ମୃତକଙ୍କ ନାମ ୩୫ ବର୍ଷୀୟ ତରନଜିତ ସିଂହ । ସେ ପଞ୍ଜାବର ବାଲାଚୌର ଏସବିଏସ ନଗରର ନିବାସୀ ।
ତରନଜିତ ସିଂହ ଏକ ବର୍ଷ ପୂର୍ବେ ସିଡନୀରେ ରହୁଥିଲେ । ବୁଧବାର ସକାଳେ ସେ ସିଡନୀରୁ ବିମାନ ସଂଖ୍ୟା ଏଆଇ ୩୦୧ରେ ଭାରତ ଫେରିଥିଲେ । ସେ ଆଇଜିଆଇ ବିମାନରେ ଓହ୍ଲାଇଥିଲେ । ପ୍ରାରମ୍ଭିକ ଯାଂଚ ବେଳେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା, ଏଥିପାଇଁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ରକ୍ତ ନମୂନାର ଯାଂଚ ଲାଗି ଲ୍ୟାବକୁ ପଠାଯାଇଥିଲା ।
ମାତ୍ର ଯାଂଚ ରିପୋର୍ଟ ଆସିବା ପୂର୍ବରୁ ସେ ହାର ମାନି ନେଇଥିଲେ ଏବଂ ରାତି ପ୍ରାୟ ୯ଟାରେ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ହସ୍ପିଟାଲର କର୍ମଚାରୀ ପୋଲିସଙ୍କୁ ଘଟଣାର ସୂଚନା ଦେଇଥିଲେ । ଛାତରୁ ତଳେ ପଡିବାର ପାଂଚ ମିନିଟ୍ ମଧ୍ୟରେ ଯୁବକ ଜଣକ ପ୍ରାଣ ହରାଇଥିଲେ । ଭୟ କାରଣରୁ ହସ୍ପିଟାଲର କୌଣସି କର୍ମଚାରୀ ତାଙ୍କ ପାଖ ପାଡିନଥିଲେ । କିଛି ସମୟ ପରେ ପୋଲିସ ବହୁ ସତର୍କତାପୂର୍ବକ ଶବ ପାଖରେ ପହଂଚି ଜାଗାକୁ ସିଲ୍ କରିଥିଲେ ।
ହସ୍ପିଟାଲ କର୍ତୃପକ୍ଷ ଅନୁଯାୟୀ ଗୋଗୀଙ୍କ ରକ୍ତ ନମୂନା ଯାଂଚ ଲାଗି ପଠାଯାଇଛି, ଏହାର ରିପୋର୍ଟ ଏବେ ସୁଦ୍ଧା ଆସିନାହିଁ । ରୋଗୀଙ୍କୁ ବହୁତ ଜୋରରେ ମୁଣ୍ଡବ୍ୟଥା ହେଉଥିଲା । ପୋଲିସ ଓ ହସ୍ପିଟାଲ କର୍ତୃପକ୍ଷ ମାମଲାର ତଦନ୍ତରେ ଜୁଟିଛନ୍ତି ।