-
ବିଭିନ୍ନ ଅଂଚଳରେ ୧୪୪ ଧାରା ଜାରୀ
ଜାମ୍ମୁ– କାଶ୍ମୀର ଉପତ୍ୟକାରେ ପ୍ରଥମ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଶ୍ରୀନଗରରର ଖାନିଆର ଅଂଚଳରେ ଜଣେ ୬୭ ବର୍ଷ ବୟସ୍କା ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଅନ୍ୟପକ୍ଷରେ ଗୁରୁବାର ଦିନ ଖାନିଆର ସମେତ ସହରର କେତେକ ସ୍ଥାନରେ ୧୪୪ ଧାରା ଲଗାଯାଇଛି ।
ଖାନିଆର ଅଂଚଳରେ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ୬୭ ବର୍ଷ ବୟସ୍କା ମହିଳାଙ୍କ ଘର ଠାରୁ ୩୦୦ ମିଟର ବ୍ୟାସାର୍ଦ୍ଧ ଅଂଚଳକୁସିଲ୍ କରାଯାଇଛି । ଏଥିସହ ଜୀବାଣୁ ବିସ୍ତାର ନହେବା ପାଇଁ ଲୋକଙ୍କ ଗତିବିଧି ଏବଂ ଗୋଟିଏ ସ୍ଥାନରେ ଚାରିରୁ ଅଧିକ ଲୋକଙ୍କୁ ଏକାଠି କରିବା ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି । ଏହା ବ୍ୟତୀତ ସହରର ବିଭିନ୍ନ ଅଂଚଳରେ ଧାରା ୧୪୪ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଛି । ଅନନ୍ତନାଗରେ ମଧ୍ୟ କଟକଣା ଲାଗୁ ହୋଇଥିବାବେଳେ ଶୋପିଆନ୍, କୁଲଗାମ ଏବଂ ଗାଣ୍ଡରବାଲରେ ନିଷେଧାଦେଶ ଲାଗୁ କରାଯାଇଛି । ସେପଟେ ବୁଦ୍ଧଗାମ ଜିଲ୍ଲାର ମାଗାମରେ ସର୍ବସାଧାରଣ ଯାନବାହନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛିୟ ସମସ୍ତ ଶିକ୍ଷାନୁଷ୍ଠାନ, ହୋଟେଲ, ଅଙ୍ଗନୱାଡି କେନ୍ଦ୍ର, ଖେଳ ପଡିଆ, ପାର୍କ, ଖାଦ୍ୟ ଷ୍ଟଲ୍ ଇତ୍ୟାଦି ଏଠାରେ ବନ୍ଦ ହୋଇସାରିଛି ।
ବର୍ତମାନ ପର୍ଯ୍ୟନ୍ତ ଜାମ୍ମୁରେ କୋଭିଡ -୧୯ ର ତିନୋଟି ମାମଲା ନିଶ୍ଚିତ ହୋଇଛି ।ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଅନ୍ୟ ସମସ୍ତ ଧାର୍ମିକ ମନ୍ଦିରକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଲୋକଙ୍କୁ ସମସ୍ତ ମନ୍ଦିର, ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏଥି ସହିତ, ଜାମ୍ମୁ ଡିଭିଜନର କେତେକ ଜିଲ୍ଲାରେ ପୁଞ୍ଝ, କାଥୁଆ, କାଟ୍ରା, ରେସି ମଧ୍ୟ ଧାରା ୧୪୪ ଅନୁଯାୟୀ ଅନେକ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟ ମଧ୍ୟରେ ଉଦାମପୁରରେ ସର୍ବସାଧାରଣ ଯାନବାହନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି ।
ପିଲାମାନଙ୍କୁ କରୋନା ଜୀବାଣୁଙ୍କ ବିପଦରୁ ଦୂରେଇ ରଖିବା ପାଇଁ ଜାମ୍ମୁ କାଶ୍ମୀର ଶିକ୍ଷା ବିଭାଗ ମଧ୍ୟ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି ।