ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲୁଚାପଡା ଗ୍ରାମରେ ଏବଂ ଜଗଦଲପୁର ଗ୍ରାମରେ ବିଭିନ୍ନ ଖଣି ଖାଦାନରୁ ମୋରମ୍ ଚୋରା ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟର ଏବଂ ୨ଟି ଜେସିବି ଜବତ କରିବା ସହ ୧ଲକ୍ଷ ୪ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଦୀର୍ଘଦିନଧରି କୁକୁଡାଖଣ୍ଡି ବ୍ଲକ୍ ଅଧିନରେ ଥିବା ଗ୍ରାମଗୁଡିକରେ ପଥର, ମୋରମ୍, ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ପରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଇସ୍ପିତା ପ୍ରିୟଦର୍ଶନୀ ମିଶ୍ର ତାଙ୍କର କର୍ମଚାରୀମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସଦର ଥାନାରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜୋରିମାନା ଅତ୍ୟଧିକ ଥିବାଯୋଗୁ ଗାଡିଗୁଡିକ ମାଲିକମାନେ ନନେବାରୁ ତହସିଲଦାର ଇସ୍ପିତା ପ୍ରିୟଦର୍ଶନୀ ମିଶ୍ର ଗାଡିଗୁଡିକୁ ସଦର ଥାନାକୁ ହସ୍ତାନ୍ତର କରିବାପରେ ଗାଡିଗୁଡିକ ସଦର ଥାନାରେ ଥାନାଧିକାରୀଙ୍କ ଜିମାରେ ଦିଆଯାଇଥିବା ଜଣାପଡିଛି । ଗତ ୨ଦିନଧରି କୁକୁଡାଖଣ୍ଡି ବ୍ଲକ୍ ଅଧିନରେ ଥିବା ବିଭିନ୍ନ ବିଦେଶୀ ମଦ ଦୋକାନ ଏବଂ ଦେଶୀ ମଦ ଭାଟି ଉପରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି । କୁକୁଡାଖଣ୍ଡି କାଳୁଆ ରୋଡ୍ରେ ଥିବା ବିଦେଶୀ ମଦ ଦୋକାନ ପଛପଟେ ଖୋଲା ବୋତଲ, ବିଭିନ୍ନ ପ୍ଲାଷ୍ଟିକ ବୋତଲ, ପଲିଥିନ ଜରି ଏପଟେ ସେପଟେ ପଡିଥିବା ଦେଖି ଦୋକାନୀକୁ ଡାକି ତାଗିଦ୍ କରିବା ସହ ଏଠାରେ ମଦ ପିଇବା ପାଇଁ ବାରଣ କରିବା ପାଇଁ କହିଥିଲେ । ସେହିପରି ଦେଶୀ ମଦ ଭାଟି ଗୁଡିକରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲି ମଦ ବିକ୍ରି କରୁଥିବାରୁ ଦେଶୀ ମଦ ଭାଟିର ମାଲିକମାନଙ୍କୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମଦ ବିକ୍ରି ନକରିବା ପାଇଁ ତାଗିଦ୍ କରିବା ସହ ଦୋକାନ ନିକଟରେ ସଫା ସୁତୁରା ରଖିବା ପାଇଁ ତାଗିଦ୍ କରିଥିବା ଜଣାପଡିଛି । ନୂତନ ଭାବେ ଦାୟୀତ୍ୱ ଗ୍ରହଣକରି ଖୁବ୍ କମ୍ ଦିନ ମଧ୍ୟରେ ତହସିଲ ଅଞ୍ଚଳରେ ଦୀର୍ଘଦିନଧରି ଚାଲି ଆସୁଥିବା ବେଆଇନ୍ ବାଲି, ମୋରମ୍, ଇଟାଭାଟି, କ୍ରସର ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ଭୁୟଂଶୀ ପ୍ରଶଂସା କରାଯାଇଛି ।
Related Stories
July 3, 2025