ବ୍ରହ୍ମପୁର: ଜିଲ୍ଲା ଜଜ୍ କୋର୍ଟ ପରିସରରେ ଥିବା ଜିଲ୍ଲା ଜଜ୍ କୋର୍ଟ ସହ ସମସ୍ତ ନିମ୍ନ ଅଦାଲତଗୁଡିକୁ ଗଞ୍ଜାମ ଓକିଲ ସଂଘର ଆହ୍ୱାନକ୍ରମେ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବା ପାଇଁ ଆଇନ୍ଜୀବୀମାନେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗଞ୍ଜାମ ଓକିଲ ସଂଘର ଏକ ଜରୁରୀ ବୈଠକ ସଂଘର ସଭାପତି ରବି ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର, ସମ୍ପାଦକ କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ, ସହ ସମ୍ପାଦକ କିରଣ କୁମାର ମଣ୍ଡଳ, ଶତ୍ରୁଘ୍ନ ପାତ୍ର, ରବିନ୍ଦ୍ର ଦେଓ, ପ୍ରଦୀପ ପଟ୍ଟନାୟକ, ପ୍ରଦୀପ ପଣ୍ଡାଙ୍କ ସହ ବହୁ ଆଇନ୍ଜୀବୀ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ସାରା ବିଶ୍ୱରେ ଦେଖା ଦେଇଥିବା କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଅଦାଲତ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଗତ ବୁଧବାର ଦିନ ହାଇକୋର୍ଟ ଓକିଲ ସଂଘର ନିଷ୍ପତ୍ତିକ୍ରମେ ମାନ୍ୟବର ହାଇକୋର୍ଟ ମଧ୍ୟ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଆଇନ୍ଜୀବୀମାନେ କାର୍ଯ୍ୟ ବନ୍ଦ କରିଥିବା ଜଣାପଡିଛି । ନୂତନ ମାମଲା ଗୁଡିକ ଫାଏଲ ହୋଇପାରିବ । ଜିଲ୍ଲା ଜଜ୍ କୋର୍ଟ ସହ ଅନ୍ୟାନ୍ୟ କୋର୍ଟରେ ଜରୁରୀ ମାମଲାଗୁଡିକ ଯଥା ବିଚାରଧିନ କଏଦୀମାନଙ୍କ ଜାମିନ ଏବଂ ଜରୁରୀ କାର୍ଯ୍ୟ ଏହି ଦିନ ମଧ୍ୟରେ କରିବା ପାଇଁ କୋର୍ଟକୁ ଗଞ୍ଜାମ ଓକିଲ ସଂଘ ଅନୁରୋଧ କରିଥିବା ଜଣାପଡିଛି ।
