ବ୍ରହ୍ମପୁର : ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡ଼ିଏସ୍)ରେ ଆସୁଥିବା ସାମଗ୍ରୀ କାରବାର ଅନ୍ଲାଇନରେ ନକରି ହରଡ଼ା ଘଣାରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲାର ୬୫ ଡ଼ିଲର । ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଖିଲାପ କରିବାରୁ ଏମାନଙ୍କ ଲାଇସେନ୍ସ ନବୀକରଣ ନକରିବା ଲାଗି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ରାଜ୍ୟ ଯୋଗାଣ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଡ଼ିଲରମାନେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ହୋଇଥିବା କୁହାଯାଉଛି । ସାଧାରଣ ବଣ୍ଟନ ସାମଗ୍ରୀର ବ୍ୟାପକ ବାଟମାରଣା ରୋକିବା ଲାଗି ସରକାର ଅନ୍ଲାଇନ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏଥିପାଇଁ ହିତାଧିକାରୀଙ୍କ ଆଧାର କାର୍ଡ଼ ବାଧ୍ୟତାମୂଳକ କରିବା ସହ ପ୍ରତ୍ୟେକ ଡ଼ିଲରଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ଅଫ୍ସେଲ(ପିଓଏସ୍) ମେସିନ ଦିଆଯାଇଥିଲା । ଜିଲ୍ଲାର ହିତାଧିକାରୀଙ୍କ ମଧ୍ୟରୁ ୯୯.୨୩ ପ୍ରତିଶତ ହିତାଧିକାରୀଙ୍କ ରାସନକାର୍ଡ଼କୁ ଆଧାର ସଂଯୋଗୀକରଣ କରାଯାଇଥିଲା । ୮୫ ପ୍ରତିଶତଙ୍କ ବ୍ୟାଙ୍କ ଆକାଉଣ୍ଟ ସଂଯୋଗୀକରଣ କରାଯାଇଥିବା ବେଳେ ୬୫ ପ୍ରତିଶତଙ୍କ ମୋବାଇଲ ନମ୍ବର ସଂଯୋଗୀକରଣ କରାଯାଇଛି । ସବୁ ଡ଼ିଲରଙ୍କୁ ପିଓଏସ୍ ମେସିନ ଜରିଆରେ ହିତାଧିକାରୀଙ୍କୁ ପିଡ଼ିଏସ୍ ସାମଗ୍ରୀ ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଥିଲା । ମାତ୍ର ବାରମ୍ବାର ତାଗିଦ ପରେ ଜିଲ୍ଲାର କିଛି ଡ଼ିଲର ଅନ୍ଲାଇନ କାରବାର ଉପରେ ଗୁରୁତ୍ୱ ଦେଲେ ନାହିଁ । କେବଳ ଗଞ୍ଜାମ ଜିଲ୍ଲା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ବିଭାଗ ନିକଟରେ ଖବର ପହଞ୍ôଚବା ପରେ ଗତ ୧୨ ତାରିଖରେ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ରାଜ୍ୟର ୨୫୯୩ ଡ଼ିଲରଙ୍କ ଲାଇସେନ୍ସ ନବୀକରଣ ବନ୍ଦ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୬୫ଜଣ ଡ଼ିଲର ରହିଛନ୍ତି । ଏମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର ୩୨ଜଣ, ଆସିକା ଏନ୍ଏସିର ୪, ଭଞ୍ଜନଗରର ୨, ବୁଗୁଡ଼ାର ୪, ହିଞ୍ଜିଳିରେ ଜଣେ, ଖଲ୍ଲିକୋଟର ୩ଜଣ, କୋଦଳାର ୨, ଗଞ୍ଜାମ, ଗୋପାଳପୁର, ଦିଗପହଣ୍ଡି ଓ ରମ୍ଭା ଏନ୍ଏସିର ଜଣେ ଲେଖାଏଁ ପୋଲସରା ଓ ପୁରୁଷୋତ୍ତମପୁର ଏନ୍ଏସିର ୩ ଜଣ ଲେଖାଏଁ ଏବଂ ଛତ୍ରପୁର ଏନ୍ଏସିର ୮ଜଣ ରହିଛନ୍ତି । ଯୋଗାଣ ସଚିବଙ୍କ କାର୍ଯ୍ୟାନୁଷ୍ଠାନ ପରେ ଡ଼ିଲରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
Related Stories
November 24, 2024
November 24, 2024