ନୂଆଦିଲ୍ଲୀ- କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ମଙ୍ଗଳବାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସମାବେଶ ନିଷେଧ ଲାଗି ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ରକ୍ଷା କରିବା ଦ୍ୱାରା ରୋଗ ସଂକ୍ରମଣକୁ ନିବାରଣ କରିହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜ୍ୟରେ ପୃଥକୀକରଣ ସୁବିଧା, ଡାକ୍ତରଖାନା ପରିଚାଳନା ଓ ସଚେତନତା ଅଭିଯାନର ସେ ସମୀକ୍ଷା କରିଥିଲେ ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ୩୦ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭାରତ ସରକାରଙ୍କ ଠାରୁ ରାଜ୍ୟଗୁଡିକ କୌଣସି ପ୍ରକାର ସହାୟତା ଆବଶ୍ୟକ କରୁଥିଲେ ଯୁଗ୍ମ ସଚିବ ସ୍ତରର ଏହି ଅଧିକାରୀମାନେ ପ୍ରଭାବୀ ଓ ବାଧାମୁକ୍ତ ସମନ୍ୱୟ ରକ୍ଷା କରିବେ । ଏମାନେ ବିଭିନ୍ନ ରାଜ୍ୟରେ ନିୟୋଜିତ ରହିବା ସହିତ କରୋନା ଭୂତାଣୂ ସଂକ୍ରମଣର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପରେ ରାଜ୍ୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ । ଏ ସମସ୍ତ ଅଧିକାରୀଙ୍କ ସହିତ ଆସନ୍ତାକାଲି ଏକ ବୈଠକ ଆୟୋଜନ କରାଯିବ । ଏଥିରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ ।
ସେହିପରି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଓ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପତ୍ର ଲେଖିଛନ୍ତି । ସମସ୍ତ ନିର୍ଦ୍ଦେଶନାମାକୁ ମନ୍ତ୍ରଣାଳୟ ଓ ବିଭାଗ ଅଧିନରେ ଥିବା ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।
ପୂର୍ବରୁ ୧୧ ଏବଂ ୧୬ ମାର୍ଚ୍ଚ ୨୦୨୦ରେ ଜାରି କରାଯାଇଥିବା ଯାତ୍ରା ମାର୍ଗଦର୍ଶୀକା ସହିତ ଆଜି ନୂଆ ମାର୍ଗଦର୍ଶୀକା ଜାରି ହୋଇଛି । ଆଫଗାନିସ୍ତାନ, ଫିଲିପାଇନ୍ସ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କୁ ଭାରତରେ ପ୍ରବେଶକୁ ନିଷେଧ କରାଯାଇଛି । ଏହା ତ୍ୱରିତ ପ୍ରଭାବରେ ଲାଗୁ ହେବ । ସମସ୍ତ ବିମାନ ସେବା ପ୍ରଦାନକାରୀ ଏହାକୁ କାର୍ଯ୍ୟକାରୀ କରିବେ ଏବଂ ଏସବୁ ଦେଶରୁ କୌଣସି ବିମାନ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିପାରିବ ନାହିଁ । ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହାକୁ ଅସ୍ଥାୟୀ ଭାବେ ଲାଗୁ କରାଯିବ ଏବଂ ପରବର୍ତୀ ସମୟରେ ଏହାର ସମୀକ୍ଷା କରାଯିବ ।
ଚା କୋଭିଡ-୧୯ ମୁକାବିଲା ଲାଗି ଚିକିତ୍ସା ପରିଚାଳନା ନିର୍ଦ୍ଦେଶାବଳୀ (ଆଗୁଆ ରୋଗୀ ଚିହ୍ନଟ), ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ପାଇଁ ମାର୍ଗଦର୍ଶୀକାକୁ ସଂଶୋଧନ କରାଯାଇଛି ।
-ମୃତଦେହ ପରିଚାଳନା କ୍ଷେତ୍ରରେ ସଂଶୋଧିତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା, ସଂକ୍ରମଣ ରୋକିବା ଲାଗି ମୃତଦେହକୁ ସଠିକ ସ୍ଥାନରେ ରଖିବା ସହିତ ପରିବେଶକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ କୁହାଯାଇଛି ।
– କୋଭିଡ-୧୯ ପରୀକ୍ଷା ପାଇଁ ମଞ୍ଜୁରିପ୍ରାପ୍ତ ଘରୋଇ ପରୀକ୍ଷାଗାରକୁ ଅନୁମତି ଦିଆଯିବା ସହିତ ଏମାନଙ୍କ ପାଇଁ ସ୍ୱତନ୍ତ୍ର ଦିଶାନିର୍ଦ୍ଦେଶ ଜାରି କରାଯାଇଛି ।
– ଘରୋଇ ପରୀକ୍ଷାଗାରଗୁଡିକ ଆଇସିଏମଆରର ତତ୍ୱାବଧାନରେ ଯୋଗ୍ୟ ଡାକ୍ତରଙ୍କ ଦ୍ୱାରା ନମୂନା ପରୀକ୍ଷା କରିପାରିବେ । ତେବେ ଏଦିଗରେ ସେମାନେ ସଦ୍ୟ ଜାରି ହୋଇଥିବା ଦିଶାନିର୍ଦ୍ଦେଶକୁ ପାଳନ କରିବେ ।
– ଘରୋଇ ପରୀକ୍ଷାଗାରଗୁଡିକ ପାଇଁ ଆଇସିଏମଆର ପକ୍ଷରୁ ନମୂନା ପରୀକ୍ଷଣର ପରିଚାଳନା ପଦ୍ଧତି ମାନକ (ଏସଓପି) ଜାରି କରାଯିବ । ଆଇସିଏମଆର – ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେ ଦ୍ୱାରା ଅନୁମୋଦିତ କିଟ୍ରେ ପରୀକ୍ଷାଗାରଗୁଡିକ ନମୂନା ପରୀକ୍ଷା କରିବେ ।
– ସଂକ୍ରମିତଙ୍କ ଠାରୁ ନମୂନା ସଂଗ୍ରହ କରିବା ସମୟରେ ଉପଯୁକ୍ତ ଜୈବସୁରକ୍ଷା ଓ ଜୈବନିରାପତା ସତର୍କତା ଅବଲମ୍ବନ କରାଯିବ । ବିକଳ୍ପ ଭାବେ ଏହି ରୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ନମୂନା କେନ୍ଦ୍ର ସ୍ଥାପନ କରାଯିବ ।
– ଏହି ଘରୋଇ ପରୀକ୍ଷାଗାରଗୁଡିକ ତୁରନ୍ତ କୌଣସି ସୂଚନା ଭାରତ ସରକାରଙ୍କ ଆଇଡିଏସପି ରାଜ୍ୟ ଅଧିକାରୀ ଏବଂ ଆଇସିଏମଆର ମୁଖ୍ୟାଳୟକୁ ପ୍ରଦାନ କରିବାର ବ୍ୟବସ୍ଥା କରିବେ ।
ଏହାଛଡା ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର କର୍ମଚାରୀଙ୍କ ପାଇଁ କାର୍ମୀକ ଓ ତାଲିମ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶୀକା ଜାରି କରାଯାଇଛି । ଏହାକୁ ସମସ୍ତ ସରକାରୀ ପ୍ରତିଷ୍ଠାନରେ ପାଳନ କରାଯିବ ।
– ସମସ୍ତ ସରକାରୀ ପ୍ରତିଷ୍ଠାନର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବ । ସରକାରୀ ଅଟ୍ଟାଳିକାକୁ ପ୍ରବେଶ ସ୍ଥାନରେ ହାତସଫା ସାନିଟାଇଜର ରଖାଯିବ । ଥଣ୍ଡା ଭଳି ଲକ୍ଷଣ ଥିଲେ ଉପଯୁକ୍ତ ଚିକିତ୍ସା ଏବଂ ପୃଥକୀକରଣ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି ।
– ଅଫିସ ପରିସର ମଧ୍ୟକୁ ଅଧିକ ଆଗନ୍ତୁକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ତୁରନ୍ତ ପରିଦର୍ଶକ/ଅସ୍ଥାୟୀ ପାସ ଜାରି କରିବା ବ୍ୟବସ୍ଥାକୁ ବାତିଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କେବଳ ଅଧିକାରୀଙ୍କ ଅନୁମତିକ୍ରମେ ଉପଯୁକ୍ତ ଭାବେ ଯାଂଚ କରାଯିବା ପରେ ଆଗନ୍ତୁକଙ୍କୁ ପ୍ରବେଶ ଅନୁମତି ମିଳିବ ।
– ସମସ୍ତ ସରକାରୀ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କରାଯିବ । ବୈଠକ ଘୁଂଚାଇବା ଓ ଅଧିକ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି ।
– ଅଦରକାରୀ ସରକାରୀ ଗସ୍ତକୁ ଏଡାଇବା ପାଇଁ କୁହାଯାଇଛି ।
– ଅନ୍ୟ ଅଫିସକୁ ଫାଇଲ ଓ କାଗଜପତ୍ର ପଠାଇବା ବଦଳରେ ଇ-ମେଲ ମାଧ୍ୟମରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।
– କାର୍ଯ୍ୟାଳୟର ପ୍ରବେଶ ପଥରେ ଡାକ ପଠାଇବା ଏବଂ ଗ୍ରହଣ କରିବାର ବ୍ୟବସ୍ଥା କରିବାକୁ କୁହାଯାଇଛି ।
– ସରକାରୀ ଅଟ୍ଟାଳିକା ପରିସରରେ ଥିବା ସମସ୍ତ ଜିମ୍, କ୍ରେଚ, ଅବସର ବିନୋଦନ କେନ୍ଦ୍ରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।
– କାର୍ଯ୍ୟସ୍ଥଳୀକୁ ସ୍ୱଚ୍ଛ ରଖିବା ସହ ବାରମ୍ବାର ସ୍ପର୍ଶ କରାଯାଉଥିବା ସ୍ଥାନକୁ ନିୟମିତ ବ୍ୟବଧାନରେ ଜୀବାଣୁ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଅଫିସ ପରିସରରେ ଯଥେଷ୍ଟ ପରିମାଣରେ ସାନିଟାଇଜର, ସାବୁନ ଓ ୱାସ ରୁମରେ ଚାଲୁଥିବା ପାଣି ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
– ଅଧିକାରୀମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ । ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟସ୍ଥଳୀରୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ନିଜକୁ ପୃଥକ ରଖି ଚିକିତ୍ସା କରାଇବେ ।
– ଚିକିତ୍ସିତ କିମ୍ବା ପୃଥକ ରହିବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରିବା ଲାଗି କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ଥିବା କର୍ମଚାରୀଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ଏପରି କର୍ମଚାରୀଙ୍କୁ ସିଧାସଳଖ ସର୍ବସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା କାର୍ଯ୍ୟଠାରୁ ଦୂରେଇ ରଖିବା ଦିଗରେ ମନ୍ତ୍ରଣାଳୟ ଓ ବିଭାଗଗୁଡିକ ପଦକ୍ଷେପ ନେବେ ।