ଲସ୍ ଏଞ୍ଜେଲ୍ସ- ଓ୍ଵେଷ୍ଟ ଭର୍ଜିନିଆରେ କୋଭିଡ-୧୯ର ପ୍ରଥମ ନୂତନ ମାମଲା ସାମ୍ନାକୁ ଆସିବା ସହିତ ଆମେରିକାର ସମସ୍ତ ୫୦ ରାଜ୍ୟକୁ କରୋନା ଭୂତାଣୁ କବଳିତ କରିଛି । ଉତ୍ତର-ପଶ୍ଚିମୀ ରାଜ୍ୟ ଓ୍ଵାଶିଂଟନରେ ଆହୁରି ୬ ବ୍ୟକ୍ତି କରୋନା ଭୂତାଣୁରେ ପ୍ରାଣ ହରାଇବା ସହ ପଶ୍ଚିମୀ ପ୍ରାନ୍ତରେ ମୃତକଙ୍କ ସଂଖ୍ୟା ୫୪ ହେବା ସହ ଆମେରିକାରେ ମୋଟ୍ ମୃତକ ସଂଖ୍ୟା ୧୦୦ ଛୁଇଁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, କରୋନା ଭୂତାଣୁରେ ପୀଡିତ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଚେକ୍ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।
ଚୀନରେ କରୋନା ଭୂତାଣୁ ସ୍ଥିତିରେ ଦ୍ରୁତ ଗତିରେ ଉନ୍ନତି ଘଟିବାରେ ଲାଗିଛି । ଅନ୍ୟପଟେ ଇଟାଲୀରେ ମଙ୍ଗଳବାର ୩୪୫ ଜଣଙ୍କ ମୃତ୍ୟୁ ଘଟିବା ସହ ମୃତକଙ୍କ ସଂଖ୍ୟା ୨୫୦୩ରେ ପହଂଚିଛି । ଚୀନରେ ମଙ୍ଗଳବାର ମୋଟ୍ ୧୩ଟି ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧ ଜଣଙ୍କ ପ୍ରାଣହାନୀ ଘଟିଛି । ଆମେରିକୀ ମେଡିକାଲ ସଂସ୍ଥା ଜାନ ହୋପିକନ୍ସ ଅନୁସାରେ ସମଗ୍ର ଦୁନିଆରେ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୮୫ ହଜାର ୯୭୬ ହୋଇଥିବା ବେଳେ ୭୫୦୦ ଜଣଙ୍କ ପ୍ରାଣହାନୀ ଘଟିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ଅନୁରୋଧ କରିଛି ଯେ ସମସ୍ତ ସନ୍ଦିଗ୍ଧ ଲୋକଙ୍କ କରୋନା ଭୂତାଣୁ ପରୀକ୍ଷଣ କରାଯାଉ । ଅନ୍ୟପଟେ ୟୁରୋପୀୟ ୟୁନିୟନ କରୋନା ଭୂତାଣୁର ମୁକାବିଲା ଲାଗି ନିଜର ସୀମା ସିଲ୍ କରି ଦେଇଥିବା ବେଳେ ଫ୍ରାନ୍ସ ନିଜର ସୀମାକୁ ବନ୍ଦୀ କରି ଦେଇଛି । ୟୁରୋପିୟନ ୟୁନିୟନର ସଭାପତି ଉର୍ସଲା ଡେର କହିଛନ୍ତି ଯେ କରୋନା ଭୂତାଣୁର ମୁକାବିଲା ଲାଗି ସେମାନେ ଯଥା ସମ୍ଭବ ପଦକ୍ଷେପ ନେବେ ।
ଇଟାଲୀ ପରେ ଇରାନରେ ମୃତକଙ୍କ ସଂଖ୍ୟା ୮୫୩ରେ ପହଂଚି ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୪୯୯୧ରେ ଛୁଇଁଛି । ଇରାନ ଜେଲରେ ବନ୍ଦୀ ୮୫ ହଜାର କଏଦୀଙ୍କୁ ମୁକ୍ତ କରାଯାଇଛି, ଯେଉଁଥିରେ ରାଜନୈତିକ କଏଦୀ ମଧ୍ୟ ରହିଛନ୍ତି । ଅପରପକ୍ଷେ ଦକ୍ଷିଣ କୋରିଆରେ ୯୩ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।