ନ୍ୟୁୟର୍କ– କରୋନା ଭୂତାଣୁରେ ଆମେରିକାରେ ମୃତକଙ୍କ ସଂଖ୍ୟା ୧୦୦ରେ ପହଂଚିଛି । ଏହି ରୋଗର ପ୍ରକୋପକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଏକ ଖରବ ଡଲାରର ପ୍ରୋତ୍ସାହନ ପ୍ୟାକେଜ୍ ପ୍ରସ୍ତାବ ଉପରେ ଜୋର୍ ଦେଇଛି । କରୋନା ଭୂତାଣୁରେ ଆର୍ଥିକ ପ୍ରଭାବକୁ କମ୍ କରିବା ଲାଗି ସମ୍ଭବତଃ ଆମେରିକୀ ନାଗରିକଙ୍କୁ ୧୦୦୦ ଡଲାରର ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେବ ଏଥିରେ ସାମିଲ ରହିଛି ।
କରୋନା ଭୂତାଣୁ ପ୍ରକୋପରେ ଆମେରିକାରେ ଅଦ୍ୟାବଧି ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି । ଆମେରିକାର ସମସ୍ତ ୫୦ଟି ରାଜ୍ୟେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୦୦ରେ ପହଂଚିଛି । ଆମେରିକାରେ ଲକ୍ଷାଧିକ ଲୋକ କାର୍ଯ୍ୟାଳୟରେ କାମ କରିବା କିମ୍ବା ସ୍କୁଲ ନଯାଇ ଘରେ ରହିବାକୁ ବିବଶ ହୋଇଛନ୍ତି । ନ୍ୟୁୟର୍କର ମେୟଲ ବିଲ୍ ଡି ବ୍ଲାସିଓ ସହରର ୮୫ ଲକ୍ଷ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦେଇଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ଅଧିକାରୀ ସ୍କୁଲ, ରେସ୍ତୋରାଁ ଓ ସିନେମାଘର ବନ୍ଦ କରି ଲୋକଙ୍କୁ ଭିଡରୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସାନ ଫ୍ରାନସିସକୋ ଉପ ସାଗରୀୟ କ୍ଷେତ୍ରରେ ପ୍ରାୟ ୬.୭ ମିଲିୟନ ଲୋକଙ୍କୁ ପୂର୍ବରୁ ହିଁ ଏପ୍ରିଲ ୭ ପର୍ଯ୍ୟନ୍ତ ଘରେ ରହିବାକୁ ଆଦେଶ ଦିଆଯାଇଛି । ବାର, ଜିମ ଓ ଅନ୍ୟ ଅନାବଶ୍ୟକ ବ୍ୟବସାୟକୁ ବନ୍ଦ କରାଯାଇଛି । କେଂଟକୀ ଓ ଇଲିନୋଇ ରାଜ୍ୟରେ କରୋନା ଭୂତାଣୁରେ ପ୍ରଥମ ଥର ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଦେଶରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଂଚିଛି ।
ଚିକାଗୋରେ କରୋନା ଭୂତାଣୁରେ ସଂକ୍ରମିତ ୨୨ ଜଣଙ୍କୁ ନର୍ସିଂ ହୋମରେ ଭର୍ତି କରାଯାଇଛି । ସିଏଟଲରେ ଏହି ମାରାତ୍ମକ ଭୂତାଣୁରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି । କାନସାସ୍ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । କାର୍ଲିଫର୍ଣ୍ଣିଆରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି ।