ମୁମ୍ବାଇ– ଭୀମା-କୋରେଗାଓଁ ହିଂସା ମାମଲାରେ ସାକ୍ଷୀ ଦେବା ପାଇଁ ଯାଂଚ ଆୟୋଗ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସଭାପତି ଶରଦ ପାଓ୍ଵାରଙ୍କୁ ବୁଧବାର ସମନ ଜାରି କରିଛି । ଆୟୋଗ ପାଓ୍ଵାରଙ୍କୁ ଏପ୍ରିଲ ୪ରେ ଆୟୋଗଙ୍କ ଦପ୍ତରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ, ୨୦୧୮ ଜାନୁଆରୀ ୧ରେ ପୁଣେ ଜିଲ୍ଲା ସ୍ଥିତ ଭୀମା କୋରେଗାଓଁରେ ବିଜୟ ଶୋଭଯାତ୍ରା ବାହାର କରିବା ସମୟରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ କୋଟି କୋଟି ଟଙ୍କାର ସଂପତି ନଷ୍ଟ ହୋଇଥିଲା । ତତ୍କାଳୀନ ସରକାର ଏହି ମାମଲାର ଯାଂଚ ଲାଗି ଅବସରପ୍ରାପ୍ତ ବିଚାରପତି ଜେଏନ ପଟେଲ ଓ ପୂର୍ବତନ ମୁଖ୍ୟ ସଚିବ ସୁମିତ ମଲିକଙ୍କ ଅଧ୍ୟକ୍ଷତାରେ ଯାଂଚ ଆୟୋଗ ଗଠନ କରିଥିଲେ ।
ଶରଦ ପାଓ୍ଵାର କହିଥିଲେ ଯେ, ଏକ ସୁଚିନ୍ତିତ ଯୋଜନା ଏବଂ ଷଡଯନ୍ତ୍ର ଆଧାରରେ ହିଂସା ଘଟାଯାଇଛି । ପାଓ୍ଵାର ଏହି ମାମଲାରେ ଅନେକ ଲୋକଙ୍କୁ ଦାୟୀ କରିଥିଲେ ଏବଂ ତତ୍କାଳୀନ ସରକାର ଉପରେ ଏକତରଫା ଯାଂଚ କରିବାର ଆରୋପ ଲଗାଇଥିଲେ । ଶରଦ ପାଓ୍ଵାର ତଦନ୍ତକାରୀ ଆୟୋଗ ସାମ୍ନାରେ ଶପଥପତ୍ର ପ୍ରସ୍ତୁତ କରିଥିଲେ । ଏହି କାରଣରୁ ତଦନ୍ତ ଆୟୋଗ ଏହି ମାମଲାରେ ତାଙ୍କୁ ସାକ୍ଷୀ ଭାବେ ବୁଧବାର ଉପସ୍ଥିତ ହେବାକୁ ସମନ ଜାରି କରିଛି ।
ଶରଦ ପାଓ୍ଵାର ଏପ୍ରିଲ ୪ରେ ଆୟୋଗ ସାମ୍ନାରେ ହାଜର ହେବେ । ସେହି ଦିନ ଆୟୋଗ ଅନେକ ପୋଲିସ ଅଧିକାରୀଙ୍କ ମଧ୍ୟ ସାକ୍ଷ୍ୟ ଗ୍ରହଣ କରିପାରେ ।