ଭୁବନେଶ୍ୱର – ବିଜେଡିର ୪ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବୁଧବାର ଅପରାହ୍ନରେ ବିଧାନସଭାର ସମ୍ମିଳନୀ କକ୍ଷଠାରେ ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ମମତା ମହାନ୍ତ , ସୁଜିତ୍ କୁମାର , ମୁନା ଖାନ୍ ଓ ସୁବାସ୍ ସିଂହ ଶ୍ରୀ ଶତପଥୀଙ୍କ ଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ ।
ବିଧାନସଭା ସଚିବାଳୟ ନୋଟିସ୍ ବୋର୍ଡରେ ଏସମ୍ପର୍କରେ ଘୋଷଣା କରାଯାଇଥିଲା । ଏହାସହ ନିର୍ବାଚନ କମିଶନ , ଲ ଅଫ୍ ଜଷ୍ଟିସ୍ ଓ ରାଜ୍ୟସଭାକୁ ଏହି ଘୋଷଣାପତ୍ର ପଠାଇ ଦିଆଯାଇଛି । ଆଗାମୀ ଦିନରେ ସେମାନେ ରାଜ୍ୟସଭାରେ ଶପଥ ଗ୍ରହଣ କରିବେ ।
ଉଲ୍ଲେଖଯୋଗ୍ୟ ଯେ ଓଡିଶାର ୪ ଟି ରାଜ୍ୟସଭା ଆସନ ପାଇଁ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଇନଥିଲେ । ବୁଧବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ଉପରୋକ୍ତ ୪ ଜଣ ନିଦ୍ୱନ୍ଦରେ ନିର୍ବାଚିତ ହେବା ନେଇ ଘୋଷଣା କରାଯାଇଥିଲା । ଅଧିକ ସଂଖ୍ୟକ ପ୍ରାର୍ଥୀ ଥିଲେ ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା ।