ମାଲକାନଗିରି – ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ ଓ ବିଏସଏଫ ଡ଼ିଆଇଜିଙ୍କ ଉପସ୍ଥିତିରେ ବୁଧବାର ପୁରସ୍କାର ଘୋଷିତ ହାର୍ଡକୋର ମାଓବାଦୀ ସମ୍ବା ଖରା ଓରଫ ରଣଦେବ ସହ ସାତ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଏଓ ବିଏସଜେଡସି ମାଓ ଦଳମରେ ସମ୍ଭା ପାର୍ଟି ମେମ୍ବର ରୂପେ କାର୍ଯ୍ୟ କରୁଥିଲା । ତାର ଘର ପାପରମେଟଲା ଥାନା ଲୁଛାପାଣି ଗ୍ରାମରେ । ସେ ୨୦୧୭ ମସିହା ଫେବୃଆରୀ ମାସରେ ଆନ୍ଧ୍ର ପ୍ରଦେଶ ପେଦାବାଇଲ ମାଓ ଦଳମରେ ଯୋଗଦେବାପରେ ଗତ ଦୁଇ ବର୍ଷ ମଧ୍ୟରେ ଆନ୍ଧ୍ର ଓ ଓଡିଶାରେ ହୋଇଥିବା ୮ ଟି ବଡ଼ ବଡ଼ ହିଂସାକାଣ୍ଡ ରେ ସେ ସାମିଲ ଥିଲା । ସ୍ୱାଭିମାନ ଅଂଚଳରେ ସରକାରଙ୍କ ବିକାଶ କାମ ଏବଂ ମାଓବାଦୀ ପାର୍ଟିର ପଥ ଭ୍ରଷ୍ଟ ଯୋଗୁଁ ସେ ହିଂସାର ମାର୍ଗ ଛାଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଏହା ସହ ସାତ ମିଲିସିଆ ମାଓବାଦୀ ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସମ୍ବା ନାମରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି ।