ବ୍ରହ୍ମପୁର: କରୋନା ଭାଇରସ୍ ସଂକ୍ରମଣରେ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଭୟରେ ବିଦେଶରୁ ୫୧ଜଣ ନିଜ ଭିଟାମାଟିକୁ ଫେରିଥିବା ଜଣାପଡିଛି । ବିଦେଶରୁ ଫେରିବାପରେ ସେମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନକରିବା ଘଟଣା ଏବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ମୁଣ୍ଡବଥା କରିଛି । ରାଜ୍ୟରେ କରୋନା ସଂକ୍ରମଣରେ ଜଣେ ରୋଗୀ ଚିହ୍ନଟ ହୋଇସାରିଥିବା ବେଳେ ସନ୍ଦିଗ୍ଧକୁ ଖୋଜି ଘରେ କ୍ୱରେଣ୍ଟାଇନ୍ରେ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରର ଆଇସୁଲେସନ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଫେବୃୟାରୀ ମାସରୁ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୫୧ଜଣ ବିଦେଶରୁ ଫେରିଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି । ବିଦେଶ ଫେରନ୍ତାଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ଠାରୁ ଆସିଛି । ମିଳିଥିବା ତଥ୍ୟ ପ୍ରକାରେ ୫୩ଜଣଙ୍କ ତାଲିକା ମିଳିଛି । ସେମାନଙ୍କ ଘରକୁ ଯାଇ ସଚେତନତା କରାଯିବା ସହ ସେମାନଙ୍କୁ କ୍ୱରେଣ୍ଟାଇନ୍ରେ ରହିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ୫୧ଜଣ ମାଲେସିଆ, ଇଣ୍ଡୋନେସିଆ, ଆବୁଧାବି, ଦୁବାଇରୁ ଫେରିଛନ୍ତି । ଜିଲ୍ଲାରେ ୫ଜଣଙ୍କୁ କ୍ୱରେଣ୍ଟାଇନ୍ରେ ରଖାଯାଇଥିଲା । ୨୮ଦିନ ସେମାନେ ରହିବାପରେ ବର୍ତ୍ତମାନ ସୁସ୍ଥ ଥିବା କୁହାଯାଇଛି । ଆଉ ୨୭ଜଣଙ୍କୁ ବର୍ତ୍ତମାନ କ୍ୱରେଣ୍ଟାଇନ୍ରେ ରଖାଯାଇଛି । ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖାଯାଉଛି । ଅଙ୍ଗନୱାଡ଼ି, ଆଶାକର୍ମୀ, ଏଏନ୍ଏମ୍ ମାନେ ବିଦେଶରୁ ଫେରିଥିବା ଲୋକଙ୍କୁ ସଚେତନତା କରୁଛନ୍ତି ଏବଂ କ୍ୱରେଣ୍ଟାଇନ୍ରେ ରହିବାକୁ ବୁଝାଉଛନ୍ତି । ଯେଉଁମାନେ କ୍ୱରେଣ୍ଟାଇନ୍ରେ ରହୁଛନ୍ତି ସେମାନଙ୍କ ସବିଶେଷ ତଥ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚୁଛି । ଏପରିକି କ୍ୱରେଣ୍ଟାଇନ୍ରେ ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଛି ସେମାନଙ୍କୁ ତୁରନ୍ତ ବଡ ମେଡିକାଲ୍ରେ ଖୋଲାଯାଇଥିବା ଆଇସୁଲେସନ ୱାର୍ଡକୁ ଅଣାଯାଉଥିବା ଚିକିତ୍ସାଧିକାରୀ କହିଛନ୍ତି । ବର୍ତ୍ତମାନ ବିଦେଶରୁ ଫେରିଥିବା ୫୧ଜଣଙ୍କ ମଧ୍ୟରୁ ୩୨ଜଣ କ୍ୱରେଣ୍ଟାଇନ୍ରେ ଅଛନ୍ତି । ଅନ୍ୟମାନଙ୍କୁ ଚିହ୍ନଟକରି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଜିଲ୍ଲାର ୨୨ଟି ବ୍ଲକ୍ରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ର୍ୟାପିଡ ରେସପନ୍ସ ଟିମ୍ ରଖାଯାଇଛି । ସେମାନେ ବିଦେଶ ଫେରନ୍ତାମାନଙ୍କ ତାଲିକାକରି ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
Related Stories
November 24, 2024
November 24, 2024