ଜୟପୁର– ବିଶ୍ୱରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭୂତାଣୁ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଫଳରେ ଭାରତ ସରକାରଙ୍କ ଆଡଭାଇଜରୀ ଓ ନିର୍ଦ୍ଦେଶ ଅନୁଯାୟୀ ଅନେକ ରାଜ୍ୟ ସତର୍କତାମୂଳକ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ସହିତ ସାର୍ବଜନୀନ ସ୍ଥଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ରାଜସ୍ଥାନ ସରକାର ମଧ୍ୟ ସାର୍ବଜନୀନ ସ୍ଥଳ ଉପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହିତ ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଲୋକ ଏକତ୍ର ନହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରତିବନ୍ଧକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ଓ ଏହା ପରେ ସ୍ଥିତିର ସମୀକ୍ଷା କରିବା ପରେ ପରବର୍ତୀ ପଦକ୍ଷେପ ଉପରେ ନିର୍ଣ୍ଣୟ ନିଆଯିବ ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ବିଳମ୍ବିତ ରାତ୍ରିରେ ମୁଖ୍ୟମନ୍ତ୍ରୀ ନିବାସରେ କରୋନା ସଂକ୍ରମଣର ସ୍ଥିତି ଉପର ସମୀକ୍ଷା କରିଥିଲେ । ଏହି ବୈଠକରେ ସେ କରୋନାର ପ୍ରତିରୋଧ ଉପରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହା ସହିତ ସଂକ୍ରମଣକୁ ନେଇ ବଡ ଧରଣର ଜନସଚେତନା ଅଭିଯାନ ଚଲାଇବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର କରୋନାର ପ୍ରତିରୋଧ ଲାଗି ସମ୍ବେଦନଶୀଳ ଅଛନ୍ତି ଓ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ସମସ୍ତ ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ ଉଠାଉଛନ୍ତି ।
ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଜନବହୁଳ ସ୍ଥାନରୁ ଦୂରେଇ ଏବଂ ଅତି ଜରୁରୀ ନହେଲେ ସାର୍ବଜନୀନ ସ୍ଥାନ ନଯିବାକୁ ଅପିଲ କରିଛନ୍ତି । ରାଜ୍ୟ ସରକାର ସମସ୍ତ ପର୍ଯ୍ୟଟନ ସ୍ଥଳୀ, ସଂଗ୍ରହାଳୟ, ଐତିହାସିକ କୋଠା, କିଲ୍ଲା, ସାର୍ବଜନୀନ ମେଳା, ପାର୍କ, ଖେଳ ପଡିଆ ଆଦି ସ୍ଥାନରେ ଲୋକଙ୍କ ଏକତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଣ୍ଣୟ ନେଇଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ସଚିବ ସହିତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।