ଲଖନଉ– ଉତର ପ୍ରଦେଶରେ ମାହୋଲ ବଦଳିବା ସହିତ ପର୍ଯ୍ୟଟନ ସଂଖ୍ୟା ବଢିବାରେ ଲାଗିଛି । ଗତ ପାଂଚ ବର୍ଷରେ ପର୍ଯ୍ୟଟକ ସଂଖ୍ୟାରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଘଟିଛି । ଏଥିରେ ସର୍ବାଧିକ ୨୬.୩୪ ପ୍ରତିଶତ ବୃଦ୍ଧି ଯୋଗୀ ସରକାରଙ୍କ ଗତ ୩ ବର୍ଷ ଶାସନକାଳରେ ହୋଇଛି ।
ତଥ୍ୟ ଅନୁଯାୟୀ ୨୦୧୫ ରୁ ୨୦୧୭ ପ୍ରଥମ ତିନି ବର୍ଷରେ ପର୍ଯ୍ୟଟକ ସଂଖ୍ୟାରେ ମାତ୍ର ୧୩.୩୪ ପ୍ରତିଶତ ବୃଦ୍ଧି ଘଟିଥିଲା । ସେହି ପରି ୨୦୧୫-୧୬ରେ ପର୍ଯ୍ୟଟକ ସଂଖ୍ୟାରେ ମାତ୍ର ୩.୩ ପ୍ରତିଶତ ସାମାନ୍ୟ ବୃଦ୍ଧି ଘଟିଥିଲା । ଯୋଗୀ ସରକାର ରାଜ୍ୟର ଶାସନଭାର ସମ୍ଭାଳିବା ସହିତ ଉତର ପ୍ରଦେଶକୁ ଦେଶର ସବୁଠୁ ପସନ୍ଦ ପର୍ଯ୍ୟଟନ ସ୍ଥଳ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ‘ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସମ୍ବର୍ଧନ ଯୋଜନା’ ଏକ ନୂତନ ପର୍ଯ୍ୟଟନ ନୀତି ମଧ୍ୟ ଲାଗୁ କରିଛନ୍ତି ।
ସରକାର କାଶୀ, ଅଯୋଧ୍ୟା, ଚିତ୍ରକୂଟ, ପ୍ରୟାଗରାଜ, ମଥୁରା-ବୃନ୍ଦାବନ ପରି ଧାର୍ମିକ ସ୍ଥଳ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ସବୁ ସ୍ଥାନର ବିକାଶ ଲାଗି ମୁଖ୍ୟମନ୍ତ୍ରୀ କେବଳ ବ୍ୟକ୍ତିଗତ ରୁଚି ଦେଖାଇ ନାହାନ୍ତି ବରଂ ସାର୍ବଜନୀନ ଭାବେ ଏହାର ବିକାଶ ଲାଗି ମଧ୍ୟ ଘୋଷଣା କରିଛନ୍ତି । ୟୁପିର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଡ.ନୀଳକଂଠ ତିଓ୍ାରୀ ହିନ୍ଦୁସ୍ଥାନ ସମାଚାରକୁ କହିଛନ୍ତି ଯେ, ଯୋଗୀ ସରକାର ଗତ ତିନି ବର୍ଷରେ ପର୍ଯ୍ୟଟନର ବିକାଶ ଲାଗି ଅଦ୍ଭୁତପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ସଂପ୍ରତି ରାଜ୍ୟରେ ଇକୋ ଟୁରିଜିମକୁ ପ୍ରୋତ୍ସାହନ ମିଳୁଛି । ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରି ଏହାର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରାଯାଉଛି । ଯୋଗୀ ସରକାର ପର୍ଯ୍ୟଟନର ବିକାଶ ଲାଗି ବ୍ରଜ ତୀର୍ଥ ବିକାଶ ପରିଷଦ, ମଥୁରା ଆଧାରରେ ସଂପୂର୍ଣ୍ଣ କ୍ଷେତ୍ରର ପର୍ଯ୍ୟଟନ ବିକାଶ ଲାଗି ଶୁକ୍ରତୀର୍ଥ(ମୁଜଫରନଗର), ଅଯୋଧ୍ୟା, ଚିତ୍ରକୂଟ, ନୈମିଷାରଣ୍ୟ ଓ ବିଧ୍ୟାନଂଚଲ କ୍ଷେତ୍ରର ବିକାଶ ପରିଷଦ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି ।
ରାଜ୍ୟରେ ପର୍ଯ୍ୟଟକଙ୍କ ସର୍ବାଧିକ ପ୍ରଭାବ ଗତ ବର୍ଷ ପ୍ରୟାଗରାଜରେ ଆୟୋଜିତ ଭବ୍ୟ ଓ ଦିବ୍ୟ କୁମ୍ଭମେଳାରେ ଦେଖିବାକୁ ମିିଳିଥିଲା । ଏଥିରେ ରେକର୍ଡ ପ୍ରାୟ ୨୪ କୋଟି ପର୍ଯ୍ୟଟକଙ୍କ ସମାଗମ ଘଟିଥିଲା । ଏଥିରେ ୧୦ ଲକ୍ଷ ୩୦ ହଜାର ପର୍ଯ୍ୟଟକ ବିଦେଶୀ ଥିଲେ । ଅଯୋଧ୍ୟାର କାୟାକଳ୍ପ ଲାଗି ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଇଂଟରନ୍ୟାସନାଲ ରାମକଥା ଆଣ୍ଡ ଆର୍ଟ ଗ୍ୟାଲେରୀର ନିର୍ମାଣ ମଧ୍ୟ ହେବାର ଅଛି । ତୁଳସୀ ସ୍ମାରକ ଭବନର ସୁଦୃଢୀକରଣ ଓ ଉଚ୍ଚସ୍ତରୀୟ ପର୍ଯ୍ୟଟକ ଅବସ୍ଥାପନା ସୁବିଧା ପାଇଁ ସରକାର ନିକଟରେ କ୍ରମଶଃ ୧୦ କୋଟି ଟଙ୍କା ଓ ୮୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।
ଏହି ପରି ବାରଣାସୀରେ ସାଂସ୍କୃତିକ କେନ୍ଦ୍ରର ସ୍ଥାପନା ଲାଗି ୧୮୦ କୋଟି ଟଙ୍କା, କାଶୀ-ବିଶ୍ୱନାଥ ମନ୍ଦିରର ସୁନ୍ଦରୀକରଣ ଏବଂ ବିସ୍ତାରୀକରଣ ଲାଗି ୨୦୦ କୋଟି ଟଙ୍କାର ପ୍ରାବଧାନ ବଜେଟରେ କରାଯାଇଛି । ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳକୁ ଏକ୍ସପ୍ରେସ ଓ୍ ଓ ଚାରି ଲେନ୍ ବିଶିଷ୍ଟ ସଡକ ନିର୍ମାଣ ସହିତ ବିମାନ ସେବା ଯୋଗାଇବା ପାଇଁ ଯୋଜନା କରାଯାଇଛି । ଚିତ୍ରକୂଟ, ଅଯୋଧ୍ୟା, ଝାନ୍ସିରେ ବିମାନ ବନ୍ଦର ନିର୍ମାଣ ଲାଗି ପ୍ରସ୍ତାବ ରହିଛି ।
ରାଜ୍ୟରେ ୨୦୧୫ରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ କୋଟି ୯୬ ଲକ୍ଷ ୧୬ ହଜାର ୬୭୯ ରହିଥିବା ବେଳେ ୨୦୧୬ରେ ୨୧ କୋଟି ୬୭ ଲକ୍ଷ ୧ ହଜାର ୧୬ ରହିଥିଲେ । ସେହି ପରି ୨୦୧୭ରେ ପର୍ଯ୍ୟଟକ ସଂଖ୍ୟା ୨୩ କୋଟି ୭୫ ଲକ୍ଷ ୩୩ ହଜାର ୮୨୩ ରହିଛି । ୨୦୧୮ରେ ଏହି ସଂଖ୍ୟା ବୃଦ୍ଧି ଘଟି ୨୮ କୋଟି ୮୮ ଲକ୍ଷ ୬୦ ହଜାର ୬୦୦ ଓ ୨୦୧୯ରେ ୩୦ କୋଟି ୧ ଲକ୍ଷ ୩୪୩ରେ ପହଂଚିଛି ।