ପଟ୍ଟାମୁଣ୍ଡାଇ – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅରଡ଼ପଲ୍ଲୀ ଗ୍ରାମର ମଙ୍ଗୁଳି ବେହେରା (୪୬)ଙ୍କୁ ପୋଲିସ ଚୋରାମଦ କାରବାର ଅଭିଯୋଗରେ ଘରୁ ଉଠାଇ ନେଇଥିଲା । ମାତ୍ର, ଅଭିଯୁକ୍ତ ମଙ୍ଗୁଳିର କୌଣସି ଖୋଜ ଖବର ନମିଳିବାରୁ ତା’ର ପରିବାର ଲୋକେ ପୋଲିସ ମଙ୍ଗୁଳିକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଘଟଣାର ପ୍ରତିବାଦରେ ଦୀର୍ଘ ସମୟ ଧରି ଥାନା ଘେରାଉ କରିଥିଲେ ଗ୍ରାମବାସୀ ।
ଖବରରୁ ପ୍ରକାଶ ଯେ, ଗତକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓଆଇସି ଓ ଜଣେ କନଷ୍ଟେବଳ ମଙ୍ଗୁଳିର ଘରକୁ ଯାଇ ତା’ ନାମରେ ଥିବା ପୁରୁଣା ମାମଲାକୁ ରଫାଦଫା କରିବାକୁ ଥାନାକୁ ଯିବାକୁ ପଡିବ ବୋଲି କହି ମଙ୍ଗୁଳିକୁ ଘରୁ ଉଠାଇ ନେଇଥିଲେ । ମଙ୍ଗୁଳିର ପତ୍ନୀ ଚିନ୍ମୟୀ ବେହେରା ଥାନାକୁ ଆସିଥିଲେ ସୁଦ୍ଧା ସେଠାରେ ସ୍ୱାମିଙ୍କର କୌଣସି ଖୋଜ ଖବର ନପାଇବାରୁ ପୋଲିସ ତାଙ୍କ ସ୍ୱାମିଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । କେନ୍ଦ୍ରାପଡ଼ା ଏସପି ନୀତିଶେଖର ଓ ଏସଡ଼ିପିଓଙ୍କ ନିକଟରେ ସେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ପୋଲିସ ଏସପି କହିଛନ୍ତି ଯେ, ମଙ୍ଗୁଳି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲ, ପରେ କେନ୍ଦ୍ରାପଡ଼ା ଏବଂ ପରବର୍ତି ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅପରପକ୍ଷେ ଅରଡ଼ପଲ୍ଲୀ ଗ୍ରାମବାସୀ ମଙ୍ଗୁଳିଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିବା ସହ ଥାନାରେ ପହଂଚି ଏହାର ପ୍ରତିବାଦ କରିଥିଲେ । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଥାନା ଘେରାଉ କରିଥିଲେ । ଆଇନଶୃଙ୍ଖଳା ବିଗିଡ଼ିବା ଆଶଙ୍କାରେ ସେଠାରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏସପି ନୀତିଶେଖର ସଦଳବଳେ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ, ଲୋକେ ନିଜ ଜିଦ୍ ରେ ଅଟଳ ଥିଲେ । କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଏଠାରୁ ଉଠିବୁ ନାହିଁ ବୋଲି ଚରମବାଣୀ ଶୁଣାଇ ଥିଲେ । ପରେ ଜିଲ୍ଲାପାଳ ସମର୍ଥ ବର୍ମା ସେଠାରେ ପହଂଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦେ ୫ ଲକ୍ଷ ଟଙ୍କା ପ୍ରଦାନ ନେଇ ଘୋଷଣା କରିବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ବ୍ୟବସ୍ଥା କରାଇବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।