ନୂଆଦିଲ୍ଲୀ– ମଧ୍ୟ ପ୍ରଦେଶରେ ବହୁମତ ପରୀକ୍ଷଣ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଯାଚିକା ଉପରେ ମୁଖ୍ୟମନ୍ତ୍ରୀ କମଲନାଥ, ମଧ୍ୟ ପ୍ରଦେଶ ବିଧାନସଭାର ବାଚସ୍ପତି ଓ ରାଜ୍ୟପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧୮ ସୁଦ୍ଧା ଉତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତୀ ଶୁଣାଣି ଆସନ୍ତାକାଲି ହେବ ।
ଶିବରାଜ ସିଂହ ଚୌହାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ଏହା ଗଣତନ୍ତ୍ର ପ୍ରତି ଉପହାସ । ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାଣିଶୁଣି କୋର୍ଟରେ କେହି ହାଜର ହୋଇ ନାହାନ୍ତି । ଆମେ ଚାହୁଁଛୁ ଯେ, ଗୃହରେ ବହୁମତ ପରୀକ୍ଷଣ କରାଯାଉ । ଜଷ୍ଟିସ ଡିଓ୍ାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହି ସ୍ଥିତିରେ ଆମକୁ ନୋଟିସ୍ ଜାରି କରିବାକୁ ପଡିବ । କୋର୍ଟ ମଧ୍ୟ ପ୍ରଦେଶ ସରକାରର ଓକିଲଙ୍କୁ ନୋଟିସ୍ ଦେବେ । ଇମେଲ୍ ଓ ହ୍ଵାଟ୍ସଆପରେ ମଧ୍ୟ ନୋଟିସ୍ ପଠାଯିବ ବୋଲି କୋର୍ଟ କହିଛନ୍ତି । ଶିବରାଜ ସିଂହ ଚୌହାନ ମାର୍ଚ୍ଚ ୨୬ ସୁଦ୍ଧା ବିଧାନସଭା କାର୍ଯ୍ୟ ସ୍ଥଗିତ ରଖିବା ବାଚସ୍ପତିଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିଛନ୍ତି । ଯାଚିକାରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ୧୨ ଘଂଟାରେ ବହୁମତ ପରୀକ୍ଷଣ କରିବାକୁ ଆଦେଶ ଦିଅନ୍ତୁ ।