ପୁରୀ– ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ର କୂଳରେ ଲାଗିଛି ଏକ ବୋଏ । ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ । ଜାହାଜ ଗୁଡିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢ଼େଉକୁ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ । ଅସ୍ତରଙ୍ଗରେ ଲାଗିଥିବା ବୋଏ କୌଣସି ଏକ ବନ୍ଦରରୁ ଭାସି ଆସିଥିବା ଅନୁମାନ କରାଯାଉଛି ।
ଆଜି ସକାଳେ ଏହି ବୋଏଟି ତଣ୍ଡାହର ସମୁଦ୍ର କୂଳରେ ଭାସୁଥିଲା । ସ୍ଥାନୀୟ ଲୋକେ ଏହା ଦେଖି ରଶି ସାହାଯ୍ୟରେ ଏହାକୁ କୂଳକୁ ଟାଣି ଆଣିଥିଲେ । ଏହାକୁ ଦେଖିବାକୁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଖବର ପାଇ କୋଣାର୍କ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରୁଛି । ବୋଏଟିକୁ ଜେସିବି ମେସିନ ସହାୟତାରେ ଉପରକୁ ଅଣାଯିବ ବୋଲି ପୋଲିସ ସୂଚନା ଦେଇଛି ।