ଭୁବନେଶ୍ୱର – ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ୍ ପ୍ରକଳ୍ପ (ଏନଇଭିଏ) ଓଡିଶା ବିଧାନସଭାରେ କାର୍ଯ୍ୟକାରୀ କରିବାପାଇଁ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ର୍ରଣାଳୟ ଅନୁମୋଦନ କରିଛି । ଓଡିଶା ବିଧାନସଭା ଦେଶରେ ପ୍ରଥମ ବ୍ୟବସ୍ଥାପିକା ଭାବେ ଏହି ଅନୁମୋଦନ ଲାଭ କରିଛି ।
ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ୍ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ନିମନ୍ତେ ଖୁବ୍ ଶୀଘ୍ର ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଏଥିରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ , ଓଡିଶା ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଓ ଓଡିଶା ବିଧାନସଭାର ସଚିବ ସ୍ୱାକ୍ଷର କରିବେ । ଏହା ପରେ ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ କେନ୍ଦ୍ରର ଅଂଶଧନ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯିବ । ଏହି ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ଅଂଶ ୬୦ ପ୍ରତିଶତ ଥିବା ବେଳେ ରାଜ୍ୟ ସରକାରଙ୍କ ଅଂଶଧନ ୪୦ ପ୍ରତିଶତ ରହିବ ।
ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ବାଚସ୍ପତି ଏଥିପୂର୍ବରୁ କେନ୍ଦ୍ର ସରକାରଙ୍କ ସହିତ ଏସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଏଥିନେଇ ଗଠିତ କମିଟିରେ ଅନ୍ୟତମ ସଦସ୍ୟ ରହିଛନ୍ତି ।